ବିରୋଧୀ ମାନେ ୨୦୨୪ ନିର୍ବାଚନ ବିଷୟରେ ଚିନ୍ତା ଛାଡ଼ି ୨୦୨୯ ପାଇଁ ପ୍ରସ୍ତୁତି କରନ୍ତୁ : ପ୍ରକାଶ ଜାଭଡେକର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିରୋଧୀଦଳ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ୱ ଏବଂ ଦେଶର ଲୋକଙ୍କ ପାଇଁ ସେ କରୁଥିବା କାର୍ଯ୍ୟକୁ ବୁଝିବା ଉଚିତ। ଏହା କହିଛନ୍ତି ବରିଷ୍ଠ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର। ସେ ଆହୁରି କହିଛନ୍ତି ଯେ, ମୁଁ ବିରୋଧୀଙ୍କୁ ପରାମର୍ଶ ଦେଉଛି ୨୦୨୪ ଲୋକସଭା ନିର୍ବାଚନ ବିଷୟରେ ଚିନ୍ତା ନ କରି ୨୦୨୯ ପାଇଁ ସେମାନେ ପ୍ରସ୍ତୁତି କରିବା ଉଚିତ। ତେବେ ମହାରାଷ୍ଟ୍ରର ଥାଣେରେ ଏକ ଦଳୀୟ କାର୍ଯ୍ୟକ୍ରମରେ ମୋଦିଙ୍କ ୨୦ ବର୍ଷ ଶୀର୍ଷକ ଏକ ପୁସ୍ତକ ଉନ୍ମୋଚନ ଅବସରରେ ଯୋଗ ଦେଇଥିଲେ ପ୍ରକାଶ ଜାଭଡେକର। ଏହି ଅବସରରେ ସେ କହିଛନ୍ତି ଯେ ମୋଦି ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ଦେଶର ପରିବେଶ ବଦଳି ଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଆଜି ଯାଏ ଗୋଟିଏ ଦିନ ଛୁଟି ନେଇନାହାଁନ୍ତି। ଦେଶର ପ୍ରଧାନମନ୍ତ୍ରୀ ଭିନ୍ନ ଚିନ୍ତାଧାରା ଏବଂ କାର୍ଯ୍ୟକ୍ରମ ସହିତ ଆସିଛନ୍ତି, ସିଧାସଳଖ ଲୋକଙ୍କ ସହ କଥାବାର୍ତ୍ତା କରୁଛନ୍ତି ଏବଂ ଶାସନରେ ସ୍ବଚ୍ଛତା ଆଣିଛନ୍ତି।

ସେ କହିଛନ୍ତି ଯେ ମୋଦିଙ୍କ କାର୍ଯ୍ୟକୁ ଲୋକମାନେ ପସନ୍ଦ କରୁଥିବାରୁ ଭାଜପା ନିର୍ବାଚନରେ ବାରମ୍ବାର ସଫଳତା ହାସଲ କରୁଛି। ଗତ ୨୦ ବର୍ଷ ମଧ୍ୟରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବାଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ମୋଦି ଥରେ ମଧ୍ୟ ଅସୁସ୍ଥ ନ ହୋଇ ନିରନ୍ତର କାର୍ଯ୍ୟ କରୁଛନ୍ତି।

ବର୍ତ୍ତମାନ ଭାଜପା ବିଶ୍ୱର ସବୁଠୁ ବଡ ଦଳ ହୋଇଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଯୋଗୁ ତାଙ୍କ ଦଳରେ ବର୍ତ୍ତମାନ ୧୧ କୋଟି ସଦସ୍ୟ ଅଛନ୍ତି। ସେ କହିଛନ୍ତି ଯେ ଘର, ଜଳ, ଖାଦ୍ୟ ଶସ୍ୟ, ରନ୍ଧନ ଗ୍ୟାସ, ଘରେ ଶୌଚାଳୟ ଯୋଗାଇବା ଏବଂ ଅଭାବୀ ଲୋକଙ୍କୁ ମାଗଣା ଚିକିତ୍ସା ଭଳି ମୋଦିଙ୍କ ବ୍ୟାପକ ନିଷ୍ପତ୍ତି ସାଧାରଣ ନାଗରିକଙ୍କ ପ୍ରତି ତାଙ୍କର ଚିନ୍ତାକୁ ଦର୍ଶାଉଛି। ଏହି କାରଣରୁ ଅନେକ ଗୃହିଣୀ ଭାଜପା କର୍ମୀ ହୋଇପାରିଛନ୍ତି ବୋଲି ଜାଭଡେକର କହିଛନ୍ତି।

Related Posts