ଆଦାନୀ ପ୍ରସଙ୍ଗରେ ସଂସଦରୁ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା ବାହାର କଲେ ବିରୋଧୀ, ଯୋଗ ଦେଲେନି ଏନ୍‌ସିପି ଓ ଟିଏମ୍‌ସି

ଭୁବନେଶ୍ୱର,୧୫/୩ (ସତ୍ୟପାଠ ବ୍ୟୁରୋ): ଭାରତୀୟ ଉଦ୍ୟୋଗପତି ଗୌତମ ଆଦାନୀଙ୍କ ବିରୋଧରେ ବିରୋଧୀ ଦଳ ଆକ୍ରାମକ ହେବାରେ ଲାଗିଛି। ସରକାରଙ୍କ ଉପରେ ତାଙ୍କୁ ସଂରକ୍ଷଣ ଦେବାର ଅଭିଯୋଗ କରିଛି। ସଂସଦଠୁ ରାଜରାସ୍ତା ପର୍ଯ୍ୟନ୍ତ ସବୁଠୁ ଆଦାନୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଏହି କ୍ରମରେ ବୁଧବାର ୧୮ଟି ବିରୋଧୀ ଦଳର ସାଂସଦ ଏହି ମାମଲାରେ ସଂସଦ ଭବନରୁ ପ୍ରବର୍ତ୍ତନ ନିର୍ଦେଶାଳ(ଇଡି) କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା ବାହାର କରିଥିଲେ।

ବିରୋଧୀ ନେତା ମାନେ ତଦନ୍ତକାରୀ ଏଜେନ୍ସିକୁ ଆଦାନୀଙ୍କ ବିରୋଧରେ ତଦନ୍ତ ପାଇଁ ଅଭିଯୋଗପତ୍ର ଦେବାକୁ ଯାଇଥିଲେ। ତେବେ ଏହି ପଦଯାତ୍ରା ସମୟରେ ବିରୋଧୀଙ୍କୁ ଏକ ବଡ ଝଟକା ଲାଗିଥିଲା। ଏହି ପଦଯାତ୍ରାରେ ଶରଦ ପାଓ୍ବାରଙ୍କ ଦଳ ଏନସିପି ଓ ମମତା ବାନାର୍ଜୀଙ୍କ ଦଳ ଟିଏମ୍‌ସି ନିଜକୁ ସାମିଲ କରିନଥିଲେ। ଏହାପରେ ବିରୋଧୀ ଏକତାକୁ ନେଇ ପ୍ରଶ୍ନ ଉଠିଛି। ସେପଟେ କଂଗ୍ରେସ ସମେତ ସମାଜବାଦୀ ପାର୍ଟି, ଆମ ଆଦମୀ ପାର୍ଟି, ବାମ ଦଳ ଭଳି ୧୮ଟି ବିରୋଧୀ ଦଳ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ।

ସେପଟେ ବିରୋଧୀ ନେତାଙ୍କ ଏହି ପଦଯାତ୍ରାକୁ ଦିଲ୍ଲୀ ପୋଲିସ ଅଧ ରାସ୍ତାରେ ରୋକି ଦେଇଥିଲା। ବିରୋଧୀ ନେତା ମାନେ ଆଗକୁ ବଢ଼ିବାରେ ବିଫଳ ହେବାପରେ ପଦଯାତ୍ରାକୁ ବନ୍ଦ୍ କରିଥିଲେ।

ଏନେଇ କଂଗ୍ରେସ ଅଧ୍ୟକ୍ଷ ମାଲିକାର୍ଜୁନ ଖଡଗେ କହିଛନ୍ତି, ଆମେ ଆଦାନୀ ମାମଲାରେ ସ୍ମାରକପତ୍ର ଦେବା ପାଇଁ ଇଡି ପାଖକୁ ଯାଉଛୁ, କିନ୍ତୁ ସରକାର ଆମକୁ ବିଜୟ ଚୌକ ପାଖକୁ ଯିବାକୁ ଦେଉନାହାନ୍ତି। ସାଧାରଣ ଲୋକ ନିଜର ଟଙ୍କା ସରକାରଙ୍କ ବିଶ୍ବାସ ସହିତ ବ୍ୟାଙ୍କରେ ରଖନ୍ତି ହେଲେ ଲୋକଙ୍କ ଏହି ଟଙ୍କାକୁ ସରକାର ଏକ ବ୍ୟକ୍ତିକୁ ସମ୍ପତ୍ତି କିଣିବାକୁ ଦେଉଛନ୍ତି। ମୋଦି ଜୀ ଏଭଳି ଲୋକଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ଯେଉଁ ବ୍ୟକ୍ତି ୧୬୫୦ କୋଟି ଟଙ୍କାରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଓ ଏବେ ତାଙ୍କ ପାଖରେ ୧୩ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି। ଆମେ ଚାହୁଁଛୁ ଏହାର ଯାଞ୍ଚ ହେଉ। ପ୍ରଧାନମନ୍ତ୍ରୀ ଓ ଆଦାନୀଙ୍କ ସମ୍ପର୍କ କ’ଣ?

ସେଭଳି କଂଗ୍ରେସ ସାଂସଦ ଦିଗବିଜୟ ସିଂହ କହିଛନ୍ତି, ବିଜେପିର ଏହି ଚେଷ୍ଟା ଯେ,ଲୋକତନ୍ତ୍ରକୁ ଶେଷ କରି ଓ ନିୟନ୍ତ୍ରିତ ଲୋକତନ୍ତ୍ର ଋଷ ଓ ଚୀନ୍ ଭଳି ରହିଛି। ଆଦାନୀ ମାମଲାରେ ଜେପିସି ଯାଞ୍ଚ ଦାବି କରୁଥିବା କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ କହିଛନ୍ତ, ସରକାର ଜାଣନ୍ତି ଯଦି ସେ ଆମର ଜେପିସିର ଦାବିକୁ ମାନି ନେଇଛନ୍ତି ତେବେ ଜନତାଙ୍କ ଆଗରେ ତାଙ୍କୁ ଲୋକହସା ହେବାକୁ ପଡିବ। ବିଜେପିର ସବୁ ଦୁର୍ନୀତି ସାଧାରଣ ଲୋକଙ୍କ ଆଗକୁ ଆସିଯିବ।

Related Posts