ହାଇକୋର୍ଟଙ୍କ ନିର୍ଦ୍ଦେଶ; ଦେଢ଼ ହଜାର କନଷ୍ଟେବଳଙ୍କୁ ମିଳିବ ଏଏସଆଇ ପଦୋନ୍ନତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୨୦ରେ ଯୋଗ୍ୟ ବିବେଚିତ ହୋଇ ମଧ୍ୟ କନଷ୍ଟେବଳରୁ ଏଏସ୍‌ଆଇ ପଦକୁ ପଦୋନ୍ନତି ନ ପାଇବା ପ୍ରସଙ୍ଗରେ ହାଇକୋର୍ଟ ନିଜର ରାୟ ଶୁଣାଇଛନ୍ତି। ୨୦୨୦ ଡିସେମ୍ବର ୬ରେ ଅନୁଷ୍ଠିତ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେଧା ତାଲିକାରେ ସ୍ଥାନ ପାଇଥିବା ସମସ୍ତ କନଷ୍ଟେବଳ ଏଏସଆଇ ପଦୋନ୍ନତି ପାଇଁ ଯୋଗ୍ୟ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଫଳରେ ପଦୋନ୍ନତିରୁ ବଂଚିତ ହୋଇଥିବା ପ୍ରାୟ ଦେଢ ହଜାର କନଷ୍ଟେବଳ ଏବେ ଏଏସଆଇ ଭାବେ ପଦୋନ୍ନତି ପାଇବାର ସୁଯୋଗ ସୃଷ୍ଟି ହୋଇଛି। ସେମାନଙ୍କ ପଦୋନ୍ନତି ସପକ୍ଷରେ ୨୦୨୧, ସେପ୍ଟେମ୍ବର୍‌ ୯ରେ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଯେଉଁ ରାୟ ଦେଇଥିଲେ, ତା ବିରୋଧରେ ରାଜ୍ୟ ସରକାର ରିଟ୍ ଅପିଲ ଦାୟର କରିଥିଲେ। ମାତ୍ର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ସେହି ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ପୂର୍ବରୁ ଏଏସ୍‌ଆଇ ପଦୋନ୍ନତି ସଂପର୍କିତ ଜେ.କେ. ଦାସ ବନାମ୍‌ ରାଜ୍ୟ ସରକାର ମାମଲାରେ ଦୁଇ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ୨୦୨୨, ଜୁଲାଇ ୧୩ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ଆଧାରରେ ଏହି ମାମଲାର ରାୟ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଯେ, ୨୦୨୧ ମସିହା ସେପ୍ଟେମ୍ବର ୯ରେ ହାଇକୋର୍ଟର ଜଣିକିଆ ବିଚାରପତିଙ୍କ ରାୟରେ ପରିବର୍ତ୍ତନ କରି ସାନି ମେଧା ତାଲିକା ପ୍ରକାଶ ପାଇଁ ଦୁଇ ଜଣିଆ ଖଣ୍ଡପୀଠ ୨୦୨୨, ଜୁଲାଇ ୧୩ରେ ନିର୍ଦ୍ଦେଶ ଦେଇଥିଲେ। ଲିଖିତ ପରୀକ୍ଷାରେ ୩୦ ପ୍ରତିଶତ ପାସ୍ ନମ୍ବର ପାଇଥିବା କନଷ୍ଟେବଳଙ୍କୁ ନେଇ ମେଧା ତାଲିକା ପ୍ରସ୍ତୁତ ସପକ୍ଷରେ ହାଇକୋର୍ଟ କହିଥିଲେ। ଏହି ତାଲିକା ସଂପୂର୍ଣ୍ଣ ଭାବେ ଶେଷ ହେବା ପର୍ଯ୍ୟନ୍ତ ବୈଧ ରହିବ ରହିବ ବୋଲି ରାୟରେ ଉଲ୍ଲେଖ କରାଯାଇଥିଲା।

ତେବେ ୨୦୨୦, ଡିସେମ୍ବର ୨୨ରେ ପ୍ରକାଶିତ ମେଧା ତାଲିକାରେ ଅସଂରକ୍ଷିତ ବର୍ଗରେ ୨ ହଜାର ୪୯୧ ଜଣ ଓ ସଂରକ୍ଷିତ ବର୍ଗରେ ୨୯୧ ଜଣ କନଷ୍ଟେବଳଙ୍କ ନାମ ସ୍ଥାନ ପାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୦୨୦, ଡିସେମ୍ବର୍‌ ୨୬ରେ ପ୍ରାୟ ୯୨୫ଜଣ କନଷ୍ଟେବଳଙ୍କୁ ଏଏସ୍‌ଆଇ ପଦୋନ୍ନତି ସଂପର୍କିତ ତାଲିମ ପାଇଁ ପଠାଯାଇଥିଲା। କିନ୍ତୁ ଏହି ମେଧା ତାଲିକା ୨୦୨୦, ଡିସେମ୍ବର ୩୧ ପର୍ଯ୍ୟନ୍ତ ବୈଧ ବୋଲି ପରବର୍ତ୍ତୀ ସମୟରେ ଘୋଷଣା କରାଯାଇଥିଲା। ଫଳରେ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେଧା ତାଲିକାରେ ସ୍ଥାନ ପାଇଥିଲେ ମଧ୍ୟ ଦେଢ଼ ହଜାରରୁ ଅଧିକ କ‌ନଷ୍ଟେବଳ ଏଏସ୍‌ଆଇ ପଦବିକୁ ପଦୋନ୍ନତି ପାଇବାରୁ ବଞ୍ଚିତ ହୋଇଥିଲେ। ଏହି ପ୍ରସଂଗ ନେଇ ଏକାଧିକ ରିଟ୍ ପିଟିସନ ହାଇକୋର୍ଟରେ ଦାୟର ହୋଇଥିଲା। ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ର‌ଥମେ ମାମଲାର ଶୁଣାଣି କରି ୨୦୨୦, ଡିସେମ୍ବର ୧୪ ଓ ୨୨ରେ ପ୍ରକାଶିତ ମେଧା ତାଲିକା ଏକ ବର୍ଷ ବା ସଂପୂର୍ଣ୍ଣ ଭାବେ ଶେଷ ହେବା ପର୍ଯ୍ୟନ୍ତ ବୈଧ ରହିବ ବୋଲି ୨୦୨୧, ସେପ୍ଟେମ୍ବର ୯ରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ରାୟକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। ପ୍ରତିପକ୍ଷ ଗଣେଶ କୁମାର ରାଉଳ ଓ ଅନ୍ୟମାନଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ମାମଲା ପରିଚାଳନା କରୁଥିବା ବେଳେ ଜଗଦୀଶ ବିଶ୍ବାଳ ମାମଲାରେ ସହାୟତା କରୁଥିଲେ।

Related Posts