ଗୋଟିଏ ଦିନରେ ହାଇକୋର୍ଟ ଏଏସ୍‌ଓ ସହ ଓଏସ୍‌ଏସ୍‌ସି ପରୀକ୍ଷା; ଚିନ୍ତାରେ ପରୀକ୍ଷାର୍ଥୀ, ଘୁଞ୍ଚାଇବାକୁ ଦାବି

ଭୁବନେଶ୍ୱର,୧୨/୫(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର୍‌ (ଏଏସ୍‌ଓ) ପଦରେ ନିଯୁକ୍ତି ଲାଗି ପ୍ରକ୍ରିୟା ଚାଲିଛି। ପ୍ରିଲିମନାରି ପରୀକ୍ଷା ଶେଷ ହେବା ପରେ ଏବେ ବାକି ଦୁଇଟି ସ୍ତରର ପରୀକ୍ଷା ଆସନ୍ତା ମେ’ ୧୩ ଓ ୧୪ ତାରିଖରେ ହେବାକୁ ଧାର୍ଯ୍ୟ ହୋଇଛି। ସେପଟେ ମେ’ ୧୪ରେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ(ଓଏସ୍‌ଏସ୍‌ସି) ପକ୍ଷରୁ କମ୍ବାଇନ୍‌ଡ ଗ୍ରାଜୁଏଟ୍‌ ଲେ‌ଭେଲ୍‌ ରିକ୍ରୁଟ୍‌ମେଣ୍ଟ ଏକ୍ସାମିନେସନ୍‌ (ସିଜିଏଲ୍‌)ର ପ୍ରିଲିମନାରି ପରୀକ୍ଷା ସାରା ଓଡ଼ିଶାରେ ଅନୁଷ୍ଠିତ ହେବ। ତେବେ ଗୋଟିଏ ଦିନ ଦୁଇଟି ନିଯୁକ୍ତି ପରୀକ୍ଷା ଥିବାରୁ ଓଡ଼ିଶା ଶତାଧିକ ପରୀକ୍ଷାର୍ଥୀ ଏବେ ଚିନ୍ତାରେ। କେଉଁ ପରୀକ୍ଷା ଦେବେ ଓ କେଉଁଟା ଦେବେନି, ସେନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି ଆଶାୟୀ ପ୍ରାର୍ଥୀ । ଏମିତିକି କିଛି ପରୀକ୍ଷାର୍ଥୀ ହାଇକୋର୍ଟ ରେଜିଷ୍ଟର୍‌ଙ୍କୁ ଭେଟି ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବି ମଧ୍ୟ କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦ ପାଇଁ ଗତ ଏପ୍ରିଲ ୩୦ରେ ଅନୁଷ୍ଠିତ ମୁଖ୍ୟ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ପ୍ରାୟ ୧୨୫୦ ପରୀକ୍ଷାର୍ଥୀଙ୍କର କମ୍ପ୍ୟୁଟର ଆପ୍ଲିକେସନ୍‌ ଟେଷ୍ଟ(ଥିଓରି ଓ ସ୍କିଲ୍‌) ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ଲାଗି ୧୦ ତାରିଖ ମଧ୍ୟାହ୍ନଠାରୁ ଇ-ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହାକି ୧୩ ତାରିଖ ସକାଳ ପର୍ଯ୍ୟନ୍ତ ଚାଲିବ। ପ୍ରାର୍ଥୀମାନେ www.orissahighcourt.nic.in ୱେବସାଇଟ୍‌ରୁ ସେମାନଙ୍କ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ପରୀକ୍ଷା ଶେଷ ହେବା କ୍ଷଣି ସନ୍ଧ୍ୟା ସୁଦ୍ଧା କମ୍ପ୍ୟୁଟର୍‌ ଆପ୍ଲିକେସନ ଟେଷ୍ଟ (ସିଏଟି) ଫଳ ପ୍ରକାଶ କରାଯିବ। ଯେଉଁମାନେ ଏଥିରେ ଯୋଗ୍ୟବିବେଚିତ ହୋଇଥିବେ, ସେମାନେ ମେ’ ୧୪ ତାରିଖରେ ଓଡ଼ିଶା ଜୁଡିସିଆଲ୍‌ ଏକାଡେମିରେ ହେବାକୁ ଥିବା ସାକ୍ଷାତକାର (ଭାଇଭା) ପରୀକ୍ଷାରେ ଭାଗନେବେ। କେଉଁ ସମୟରେ ଭାଇଭା ହେବ, ସେନେଇ କୁହାଯାଇ ନଥିଲେ ମଧ୍ୟ ଅସଲ ଡକ୍ୟୁମେଣ୍ଟ ଯାଞ୍ଚ କରାଇବାକୁ ପ୍ରାର୍ଥୀମାନେ ସମସ୍ତ ତଥ୍ୟ ସହ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଇଛି।

ତେବେ ସେହି ୧୪ ତାରିଖରେ ହିଁ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ୍‌ ପକ୍ଷରୁ ସିଜିଏଲ୍‌ ପ୍ରିଲିମିନାରି ପରୀକ୍ଷା ଗୋଟିଏ ସିଟିଂରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଓଏମ୍‌ଆର ସିଟ୍‌ ମାଧ୍ୟମରେ କରାଯିବ। ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ୩୦ ମଧ୍ୟରେ ପରୀକ୍ଷା ହେବ। ୧୫୦ ମାର୍କର ପରୀକ୍ଷା ପାଇଁ ସକାଳ ସାଢ଼େ ୮ଟାରୁ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ରିପୋର୍ଟିଂ କରିପାରିବେ। ସାଢ଼େ ୯ଟା‌‌‌ରେ ପରୀକ୍ଷା କେନ୍ଦ୍ର ଫାଟକ ବନ୍ଦ ହେବ। ତେଣୁ ପରୀକ୍ଷାର୍ଥୀ ଏହା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି।

ତେବେ ଏନେଇ ପରୀକ୍ଷାର୍ଥୀଙ୍କ କହିବା କଥା ହେଉଛି ଯେ ସିଜିଏଲ୍‌ ପ୍ରିଲିମିନାରି ପରୀକ୍ଷା ସମ୍ପର୍କରେ ପୂର୍ବରୁ ତାରିଖ ଧାର୍ଯ୍ୟ ହୋଇଥିଲା। ମାତ୍ର ହାଇକୋର୍ଟ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦ ପାଇଁ ହେବାକୁ ଥିବା ପରୀକ୍ଷା ଲାଗି ଗତକାଲି ତାରିଖ ଘୋଷଣା ହୋଇଛି। ୧୪ ତାରିଖରେ ଯଦି ଉଭୟ ପରୀକ୍ଷା କରାଯାଏ, ତେବେ ବହୁ ମେଧାବୀ ପରୀକ୍ଷାର୍ଥୀ ଯେକୌଣସି ଗୋଟିଏ ପରୀକ୍ଷା ଦେବାରୁ ବଞ୍ଚିତ ହେବେ। ତେଣୁ ହାଇକୋର୍ଟଙ୍କ ପକ୍ଷରୁ ସଦ୍ୟତମ ଘୋଷଣା ହୋଇଥିବା ପରୀକ୍ଷା ତାରିଖକୁ ଘୁଞ୍ଚାଯାଉ। ନଚେତ ୬୦୦ରୁ ଅଧିକ ପରୀକ୍ଷାର୍ଥୀ ଅସୁବିଧାର ସମ୍ମୁଖୀନ ହେବେ ବୋଲି ପରୀକ୍ଷାର୍ଥୀମାନେ ପ୍ରକାଶ କରିଛନ୍ତି ।

Related Posts