ପଦ୍ମପୁର ଉପନିର୍ବାଚନ; ଆଜି ଶେଷଦିନରେ ନାମାଙ୍କନ ଦାଖଲ କରିବେ ୩ ଦଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପାଇଁ ଆଜି ହେଉଛି ଶେଷ ଦିନ। ହାତରେ ଆଉ ମାତ୍ର କେଇ ଘଣ୍ଟାର ସମୟ। ହେଲେ ଏଯାଏ କୌଣସି ରାଜନୈତିକ ଦଳ କିମ୍ବା ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି। ରାଜ୍ୟର ୩ ପ୍ରମୁଖ ଦଳ ପଦ୍ମପୁର ପାଇଁ ନିଜ ନିଜର ଯୋଦ୍ଧାଙ୍କ ନାମ ଘୋଷଣା କରିସାରିଛନ୍ତି। ବିଜେପିରୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବିଜେଡିରୁ ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷାରାଣୀ ସିଂ ବରିହା, କଂଗ୍ରେସରୁ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ପ୍ରାର୍ଥୀ ହୋଇଛନ୍ତି।

ଏହା ବ୍ୟତୀତ ଓଜେପିରୁ ମୁକ୍ତେଶ୍ୱର ଦାଶ, ଜୟାନନ୍ ଥାପା, ବେଣୁଧର ବରିହା, କର୍ପୂର ମେହେର, ମନୋରଞ୍ଜନ ସିଂ ବରିହା, ଶେଷଦେବ ସାହୁ, ବୃନ୍ଦାବନ ପୁରୋହିତ, ପ୍ରଶାନ୍ତ ବିଶ୍ୱାଳ, ଜ୍ୟୋତିବିକାଶ ପ୍ରଧାନ, ରେବତୀ ଗିରି, ଚିତ୍ତରଞ୍ଜନ ମେହେର ଏବଂ ଉଦିତ ବୋଣ୍ଡିଆଙ୍କୁ ମିଶାଇ ମୋଟ୍‌ ୧୫ ଜଣ ପ୍ରାର୍ଥିପତ୍ର କିଣିଛନ୍ତି। ହେଲେ କେହି ଏଯାଏଁ ଦାଖଲ କରି ନାହାନ୍ତି। ଗୁରୁବାର ନାମାଙ୍କନର ଶେଷ ଦିନ ହୋଇଥିବାରୁ ଆଜି ସବୁ ରାଜନୈତିକ ଦଳର ପ୍ରାର୍ଥୀ ଏବଂ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ବୋଲି ପ୍ରସ୍ତୁତି ଆରମ୍ଭ ହୋଇଛି।

ତେବେ ପଦ୍ମପୁର ଉପଜିଲ୍ଲାପାଳ ଅଫିସ୍‌ ସମ୍ମୁଖରେ ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇନଥିବାରୁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଚାଷୀ ଆନ୍ଦୋଳନ ୧୬ ଦିନରେ ପହଞ୍ଚିଛି। ମଙ୍ଗଳବାର ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ଇନ୍‌ପୁଟ୍‌ ସବ୍‌ସିଡି ପାଇଁ ୨ଶହ କୋଟି ଟଙ୍କା ଘୋଷଣା କରିଛନ୍ତି। ସେହିପରି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର୍‌ ଚାଷୀଙ୍କୁ ବୀମା ଟଙ୍କା ତୁରନ୍ତ ଦେବାକୁ ବୀମା କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୋହରା ଘୋଷଣା ପରେ ଚାଷୀ ଆନ୍ଦୋଳନ ପ୍ରତ୍ୟାହାର ହେବ ବୋଲି ସମସ୍ତେ ଆଶାବାଦୀ ଥିଲେ। କିନ୍ତୁ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ନ ପଡ଼ିବା ଯାଏଁ ଆନ୍ଦୋଳନ ପ୍ରତ୍ୟାହାର କରାଯିବା ପ୍ରଶ୍ନ ଉଠୁନି ବୋଲି ଚାଷୀନେତା ରମେଶ ମହାପାତ୍ର ସୂଚନା ଦେଇଛନ୍ତି।

ଅନ୍ୟପଟେ କଂଗ୍ରେସ ଆଜି ଦିନ ୧୧ଟାରୁ ଗୋରୁବଜାରରୁ ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ ଦପ୍ତର ପହଞ୍ଚିବ। ପରେ ପ୍ରାର୍ଥିପତ୍ର ଦାଖଲ ହେବ ବୋଲି ବରଗଡ଼ ଜିଲ୍ଲା ସଭାପତି ନିହାରରଂଜନ ମହାନନ୍ଦ ସୂଚନା ଦେଇଛନ୍ତି। ସେହିପରି ବିଜେପି ଅପରାହ୍‌ଣ ୨ଟା ପୂର୍ବରୁ ନାମାଙ୍କନ ଦାଖଲ କରିବ ବୋଲି ଜିଲ୍ଳା ସଭାପତି ଅଶ୍ବିନୀ ଷଡ଼ଂଗୀ କହିଛନ୍ତି। ବିଜେଡି ମଧ୍ୟ ଦିନ ୨ଟା ପାଖାପାଖି ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କରିବ ବୋଲି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

Related Posts