ପ୍ରଦୀପ ପାଣିଗ୍ରାହୀଙ୍କ ସାଙ୍ଘାତିକ ଅଭିଯୋଗ; ‘ମୋତେ ହତ୍ୟା କରିବା ପାଇଁ ଷଡଯନ୍ତ୍ର ହୋଇଛି’

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବୁଧବାର ଏକ ସାଙ୍ଘାତିକ ଅଭିଯୋଗ କରିଛନ୍ତି। ତାଙ୍କୁ ହତ୍ୟା କରିବାକୁ ଯୋଜନା ହୋଇଥିବା ପ୍ରଦୀପ ଗଣମାଧ୍ୟମ ସାମ୍ନାରେ କହିଛନ୍ତି।ଗୋପାଳପୁର ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ଥିବା ରାଜ୍ୟର ଜଣେ ପ୍ରଶାସନିକ ଅଧିକାରୀ ଏହି ଷଡ଼ଯନ୍ତ୍ର କରିଛନ୍ତି। ସେଥିପାଇଁ ସେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଯୋଗାଯୋଗରେ ଅଛନ୍ତି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।ତେବେ କିଏ ସେ ଅଫିସର ସେ ନେଇ ମୁହଁ ଖୋଲି ନାହାନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନିର୍ମଳ ଶାସନ ବ୍ୟବସ୍ଥାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ମୁଁ ବିଶ୍ୱସ୍ତ ସୂତ୍ର ଓ ଦାୟିତ୍ୱବାନ ତଦନ୍ତକାରୀ ସଂସ୍ଥାଠାରୁ ଖବର ପାଇଛି ଯେ ରାଜ୍ୟର ଜଣେ ଅଫିସର ଯିଏ ପ୍ରଶାସନିକ ବ୍ୟବସ୍ଥାରେ କାର୍ଯ୍ୟ କରୁଛନ୍ତି ଓ ଏହି ନିର୍ବାଚନମଣ୍ଡଳୀର ଦାୟିତ୍ୱରେ ଅଛନ୍ତି, ସିଏ ମୋତେ ତାଙ୍କ ରାସ୍ତାରୁ ହଟାଇ ଦେବାକୁ ଚାହୁଁଛନ୍ତି। ସେଥିପାଇଁ ସେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଯୋଗାଯୋଗରେ ଅଛନ୍ତି। ତାଙ୍କ ବ୍ୟକ୍ତିଗତ ସ୍ୱାର୍ଥ ସାଧନ ରାସ୍ତାରେ ମୁଁ କଣ୍ଟା ହୋଇଥିବାରୁ ସେ ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି। ଯେଉଁ ରାଜ୍ୟକୁ ଜଣେ ତଥାକଥିତ ସ୍ୱଚ୍ଛ ମୁଖ୍ୟମନ୍ତ୍ରୀ ନେତୃତ୍ୱ ନେଉଛନ୍ତି, ସେଠାରେ ଏପରି ଘଟଣା ଅତ୍ୟନ୍ତ ସମ୍ୱେଦନଶୀଳ। ଏହି ଘଟଣା ପରେ ମୋତେ ତାଙ୍କ ସ୍ୱଚ୍ଛତା ଉପରେ ସନ୍ଦେହ ସୃଷ୍ଟି ହେଲାଣି। ଏହି ଘଟଣାର ତଦନ୍ତ ହେବା ଆବଶ୍ୟକ। ମୋତେ ଓ ମୋ ସମର୍ଥକଙ୍କୁ ହତ୍ୟା କରିବାକୁ ବିଜେଡି ରାଜନେତାମାନେ ଅପରାଧୀଙ୍କ ଯୋଗାଯୋଗରେ ରହିବା ଘଟଣାର ତଦନ୍ତ ଜରୁରୀ ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଯେଉଁ ରାଜ୍ୟରେ ଲ’ ଆଣ୍ଡ ଅର୍ଡର ନାହିଁ, ସେପରି ସ୍ଥିତିରେ କାହାକୁ ଭରସା କରିବି? ଅଫିସରମାନେ ଆମ ସହ କଥା ହେଉନାହାନ୍ତି। କାହିଁକି ନା ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ଖରାପ ଭାବିବ। ସୁସ୍ଥ ଗଣତନ୍ତ୍ରରେ ଜିଲ୍ଲାରେ ନିଯୁକ୍ତି ପାଇଥିବା ଅଫିସରମାନେ ବିଧାୟକଙ୍କ ସହିତ ଆଲୋଚନା କରିବା କଥା। ମାତ୍ର ଯେଉଁମାନେ ନିଯୁକ୍ତି ପାଉଛନ୍ତି, ସେମାନେ ମୋ’ ସହିତ କଥା ହେଉନାହାନ୍ତି। ଜଣେ ଅଫିସର ହିସାବରେ ଯେତେବେଳେ ସେମାନେ କଥା ହେଉନାହାନ୍ତି, ମରିଯିବି ପଛେ ସେମାନଙ୍କ ପାଖରେ ଅନୁରୋଧ କରିବିନାହିଁ। କେତେ ଧମକ ଦେଉଛନ୍ତି ଦିଅନ୍ତୁ। ଏମିତି ଧମକ ଦେଇ ମାରିଦେବେ ତ? ମାରିଦିଅନ୍ତୁ। ଯଦି ମୋର, ମୋ ପରିବାର ଓ ସମର୍ଥକଙ୍କର କିଛି ହୁଏ, ତେବେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏଥିପାଇଁ ଦାୟୀ ରହିବେ ବୋଲି ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି।

Related Posts