
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀନୀ ବର୍ଷା ସିଂ ବରିହା। ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସମୟରେ ବହୁ ନେତା ଓ ସମର୍ଥକ ସେଠାରେ ଉପସ୍ଥିତ ଥିଲେ। ତେବେ ବହୁ ଛକାପଞ୍ଝା ଭିତରେ ପ୍ରଥମ ଦଳୀୟ ପ୍ରାର୍ଥୀ ଭାବେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ଆଜି ପଦ୍ମପୁର ଉପନିର୍ବାଚନର ନାମାଙ୍କନ ଦାଖଲର ଅନ୍ତିମ ଦିବସ ହୋଇଥିବା ବେଳେ ପ୍ରଥମେ ସ୍ଵାଧୀନ ପ୍ରାର୍ଥୀ ଭାବେ ଜୟନ୍ତ ଥାପା ନାମାଙ୍କନ ଦାଖଲ କରିଥିଲେ। ତାଙ୍କ ପରେ ବିଜେଡି ପ୍ରାର୍ଥୀନୀ ବର୍ଷା ବରିହା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହାପରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ କଂଗ୍ରେସର ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ଅନ୍ୟ କିଛି ସ୍ଵାଧୀନ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲାର ପଦ୍ମପୁର ବିଧାନସଭା ଆସନ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ଵର ୧୭ରେ ଅର୍ଥାତ ଆଜି ନାମାଙ୍କନ ଦାଖଲର ଶେଷ ଦିନ ଥିବାବେଳେ ୧୮ରେ ନାମାଙ୍କନ ଯାଞ୍ଚ୍ ହେବ । ସେହିଭଳି ନଭେମ୍ବର ୨୧ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବାବେଳେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଡିସେମ୍ବର ୫ରେ ନିର୍ବାଚନ ହେବାକୁ ଥିବାବେଳେ ୮ତାରିଖରେ ଭୋଟ ଗଣତି ହେବ।