ପଦ୍ମପୁର ଉପନିର୍ବାଚନ; ପ୍ରଦୀପ ପୁରୋହିତ ହେଲେ ବିଜେପି ପ୍ରାର୍ଥୀ, ଆସନ୍ତା ୧୪ରେ ଭରିବେ ନାମାଙ୍କନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଛି। ତେବେ ଧାମନଗର ଉପନିର୍ବାଚନ ଜିତି ଭରପୁର ଆତ୍ମବିଶ୍ବାସରେ ଥିବା ବିଜେପି ପ୍ରଥମେ ନିଜର ପ୍ରାର୍ଥୀ ଘୋଷଣା କରିଛି । ବିଜେପିର ବରିଷ୍ଠ ନେତା ତଥା ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଦଳ ପ୍ରାର୍ଥୀ କରିଛି। ଏନେଇ ସୂଚନା ଦେଇଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ। ତେବେ ପ୍ରଦୀପ ପୁରୋହିତ ଆସନ୍ତା ୧୪ ତାରିଖରେ ନାମାଙ୍କନ ଭରିବେ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।

ସୂଚନାଯୋଗ୍ୟ ଯେ, ପଦ୍ମପୁରରେ ବିଜେଡି ବିଧାୟକଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି ।ଏହି ଆସନରେ ଉପନିର୍ବାଚନ ଲାଗି କିଛି ଦିନ ତଳେ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନର । ଏହିକ୍ରମରେ ଡିସେମ୍ବର ୫ରେ ପଦ୍ମପୁରରେ ଉପନିର୍ବାଚନ ହେବ । ଏଥିଲାଗି ନଭେମ୍ବର ୧୦ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ନଭେମ୍ବର ୧୮ରେ ପ୍ରାର୍ଥୀପତ୍ରର ହେବ ଯାଞ୍ଚ ହେବାକୁ ଥିବା ବେଳେ ନଭେମ୍ବର ୨୧ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ । ଏହାପରେ ନଭେମ୍ବର ୨୧ରେ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ଡିସେମ୍ବର ୧୦ରେ ଭୋଟ ଗଣତି ଓ ଫଳାଫଳ ପାଇବ ।

ତେବେ ନିକଟରେ ଶେଷ ହୋଇଥିବା ଧାମନଗର ଉପନିର୍ବାଚନ ଜିତିବା ପରେ ପଦ୍ମପୁର ଆସନ ମଧ୍ୟ ଜିତିବାକୁ ଦଳ ଦମ୍ଭୋକ୍ତି ଦେଖାଇଛି। ସେପଟେ ଧାମନଗର ହାରିବା ପରେ ଶାସକ ବିଜେଡିର ଉପନିର୍ବାଚନ ବିଜୟ ରେକର୍ଡରେ ବ୍ରେକ ଲାଗିଛି। ଏଭଳି ସ୍ଥଳେ ନିଜ ହାତରେ ଥିବା ପଦ୍ମପୁର ଆସନକୁ ହରାଇବାକୁ ଚାହିଁବନାହିଁ ବିଜେଡି। ସେଥିପାଇଁ ଦଳ ଉପଯୁକ୍ତ ରଣନୀତି ପ୍ରସ୍ତୁତ କରୁଛି। ମାତ୍ର ଧାମନଗର ଭଳି ଏଠାରେ ମଧ୍ୟ ଦଳ ପାଇଁ ସମସ୍ୟା ସାଜିଛି ପ୍ରାର୍ଥୀ ଚୟନ। ଖୋଦ୍ ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରିବାରରୁ ହିଁ ୨ ଜଣ ଟିକେଟ ପାଇଁ ଦାବି କରିଛନ୍ତି। ବରିହାଙ୍କ ପତ୍ନୀ ଓ ପୁତୁରା ବୋହୂ ଗଣମାଧ୍ୟମ ସାମ୍ନାରେ ଖୋଲାଖୋଲି ଟିକେଟ ପାଇଁ ଆଶାୟୀ ଥିବା କହିଛନ୍ତି। ଏଭଳି ସ୍ଥଳେ ଦଳ କାହାକୁ ପ୍ରାର୍ଥୀ କରୁଛି ଦେଖିବାକୁ ବାକି ରହିଲା। ସେପଟେ କଂଗ୍ରେସ ମଧ୍ୟ ପ୍ରାର୍ଥୀ ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଦଳ ସେଠାରୁ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କୁ ଟିକେଟ ଦେବା ଏକ ରକମ୍ ଫାଇନାଲ ହେଇଥିବା ବେଳେ ଔପଚାରିକ ଘୋଷଣାକୁ ଅପେକ୍ଷା ରହିଛି।

Related Posts