ପଦ୍ମପୁର ଉପନିର୍ବାଚନ: ବାହାର ଲୋକଙ୍କୁ ଜିଲ୍ଲା ଛାଡ଼ି ଚାଲିଯିବାକୁ ଦିଆଯାଇଛି ନିର୍ଦ୍ଦେଶ: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର : ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନକୁ ନେଇ ପଡ଼ିବ ଭୋଟ । ତେବେ ଭୋଟ ପୂର୍ବରୁ ଏହାର ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି । ବୁଥରେ ପହଞ୍ଚି ସାରିଲେଣି ପୋଲିଂ ପାର୍ଟି । ଏବେ ସାଇଲେଣ୍ଟ ପିରିୟଡ ଚାଲିଛି । ବାହାର ଲୋକଙ୍କୁ ଜିଲ୍ଲା ଛାଡ଼ି ଚାଲିଯିବାକୁ ଦିଆଯାଇଛି ନିର୍ଦ୍ଦେଶ । କେହି ରହିଥିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ‘ଏକଜିଟ୍ ଓ ଓପିନିଅନ ପୋଲ୍ ଉପରେ ଆସନ୍ତାକାଲି ସଂଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ନିଷେଧାଦେଶ ଲାଗିଛି ।

ସେହିପରି ଯଦି କୌଣସି ଇଭିଏମରେ ତ୍ରୁଟି ଆସିଲେ ଅଧଘଣ୍ଟା ଭିତରେ ଏହାକୁ ପରିବର୍ତ୍ତନ କରାଯିବ । ମୋଟ୍ ୩୧୯ ବୁଥ୍ ମଧ୍ୟରୁ ୩୦୬ଟିର ନାମ ବଦଳିଛି । ୧୫ଟି ମଡେଲ ବୁଥ, ୬ପିଙ୍କ୍ ବୁଥର ବ୍ୟବସ୍ଥା ହୋଇଛି। ୭୯ ସମ୍ବେଦନଶୀଳ ବୁଥ ଉପରେ ନଜର ରଖାଯାଇଛି । ୧୨୦ ବୁଥରେ ଓ୍ୱେବକାଷ୍ଟିଂ, ୬୭ ବୁଥରେ ସିସିଟିଭିରେ ନଜର ରଖାଯିବ । ୨ ଲକ୍ଷ ୫୭ ହଜାରରୁ ଅଧିକ ଭୋଟର ଆସନ୍ତାକାଲି ମତ ସାବ୍ୟସ୍ତ କରିବେ । ୧୨ ପ୍ରକାର କାର୍ଡ ମଧ୍ୟରୁ ଯେକୌଣସି ଗୋଟିଏ ଦେଖାଇ ଭୋଟ ଦେଇପାରିବେ ମତଦାତା । ଭିନ୍ନକ୍ଷମ ଭୋଟରଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୋଟ୍ ଦିନ ସଂପୃକ୍ତ ଅଞ୍ଚଳ ପାଇଁ ସରକାରୀ ଛୁଟି ଘୋଷଣା ହୋଇସାରିଛି । ସକାଳ ୭ରୁ ଅପରାହ୍ନ ୪ଟା ଯାଏଁ ମତଦାନ କରିପାରିବେ । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏଥିପାଇଁ ୧୪୧୩ ଜଣ ପୋଲିସ କର୍ମଚାରୀ, ୯ କମ୍ପାନୀ ସିଆରପିଏଫ ନିୟୋଜିତ ହୋଇଛନ୍ତି ।

Related Posts