ପଦ୍ମଶ୍ରୀ ପାଇବେ କେନ୍ଦୁଝରର କଣ୍ଢେଇ ନାଚ ଗୁରୁ ମାଗୁଣି ଚରଣ କୁଅଁର; ବିଲୁପ୍ତ କଳାକୁ ବଞ୍ଚାଇବା ପାଇଁ ସମର୍ପିତ ପୂରା ଜୀବନ

ଭୁବନେଶ୍ୱର,୨୬/୧(ସତ୍ୟପାଠ ବ୍ୟୁରୋ): ସମୟ ବଦଳିବା ସହିତ ପାରମ୍ପରିକ ନୃତ୍ୟ, ଗୀତ ଓ ସଂସ୍କୃତିର ରୂପ ରେଖ ମଧ୍ୟ ବଦଳୁଛି। ଏଭଳିସ୍ଥଳେ କଣ୍ଢେଇ ନାଚ ଭଳି ଏକ ବିଲୁପ୍ତ କଳାକୁ ବଞ୍ଚେଇ ରଖିବାକୁ ଅହରହ ସଂଘର୍ଷ କରୁଥିବା କଳକାର ହେଉଛନ୍ତି କେନ୍ଦୁଝର ସହରର ମାଗୁଣି ଚରଣ କୁଅଁର। ଏହି ବିଲୁପ୍ତ କଳାକୁ ବଞ୍ଚାଇବା ପାଇଁ ତାଙ୍କର ସ୍ଵତନ୍ତ୍ର ପ୍ରୟାସ ପାଇଁ ସେ ପାଇବେ ଭାରତର ଅନ୍ୟତମ ସମ୍ମାନଜନକ ପୁରସ୍କାର ପଦ୍ମଶ୍ରୀ।

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ୮୬ ବର୍ଷୀୟ ନୃତ୍ୟଗୁରୁ ମାଗୁଣି କୁଅଁର କଣ୍ଢେଇନାଚକୁ ବଞ୍ଚେଇ ରଖିବାକୁ ଚାହୁଁଥିବା କଳାକାରଙ୍କ ମଧ୍ୟରେ ଜଣେ ଭିନ୍ନ ମଣିଷ। ବୟସର ଅପରାହ୍ନରେ ବି କଣ୍ଢେଇ ନାଚର ମାୟାରୁ ମୁକ୍ତ ହୋଇପାରୁ ନାହାନ୍ତି ମାଗୁଣି।

ତେବେ ପିଲାଟି ଦିନରୁ ଗୀତ ସଂଗୀତ ପ୍ରତି ରୁଚି ଥିବା ମାଗୁଣି ଇତିମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସରକାରୀ କାର୍ଯ୍ୟମଠାରୁ ଆରମ୍ଭ କରି ଏକାଧିକ ମହୋତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ‌େ ଏବଂ ରାଜ୍ୟ ବାହାରେ ମଧ୍ୟ କଣ୍ଢେଇ ନୃୃତ୍ୟ ପରିବେଷଣ କରି ବିଲୁପ୍ତ କଣ୍ଢେଇ ନୃତ୍ୟର ପ୍ରଚାର ପ୍ରସାର କାମରେ ଲାଗିଛନ୍ତି। ଏହି କଣ୍ଢେଇ ନୃତ୍ୟରେ ସେ ରାମାୟଣଠୁ ଆରମ୍ଭ କରି ବିଭିନ୍ନ ପୌରାଣିକ ବିଷୟବସ୍ତୁକୁ ପରିବେଷଣ କରିଥାନ୍ତି। ଏଥିମଧ୍ୟରେ ଲୋକପ୍ରିୟ ପୌରାଣିକ ନୃତ୍ୟ ହେଉଛି, ଶକ୍ତିହରଣ, କୁମ୍ଭକର୍ଣ୍ଣ ବଧ, ରାବଣ ବଧ, ମହିରାବଣ ବଧ, ତ୍ରିପୁରାସୁର ବଧ, ଚନ୍ଦ୍ରହାସ୍ୟ ଖଡଗ, ମନ୍ଦୋଦରୀ ବିବାହ ଓ ସଧବା ମନ୍ଦୋଦରୀ।

ତେବେ ଏହି କଣ୍ଢେଇ ନୃତ୍ୟକୁ ଜୀବନ ଓ ଜୀବିକାର ମାଧ୍ୟମ ଭାବେ ବାଛି ନେଇ ଅସୁବିଧାରେ ପଡିଛନ୍ତି ମାଗୁଣି। ସେ କହିଛନ୍ତି, କଣ୍ଢେଇ ନାଚକୁ ନିଶା କରିବା ପ‌ରେ ମୋର ଜୀବନ ତମାମ ସରି ଗଲାଣି। ଯେଉଁ ସମୟରେ କୌଣସି ରୋଜଗାର ମାଧ୍ୟମ ବାଛି ନେଇ ହୋଇଥାନ୍ତା, ସେହି ସମୟରେ କଣ୍ଢେଇ ନାଚକୁ ନେଇ ଭାବପ୍ରବଣତା ମୋତେ ଆଜି ଏଇ ସ୍ଥାନରେ ପହଞ୍ଚାଇଛି। ତେବେ ଏହି କଣ୍ଢେଇ ନୃତ୍ୟ ପାଇଁ ତାଙ୍କୁ ପାରିଶ୍ରମିକ ୫ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିଥାଏ। ଗ୍ରାମାଞ୍ଚଳରେ କଣ୍ଢେଇ ନୃତ୍ୟ କଲେ ୫ ହଜାର ଏବଂ ସରକାରୀ କାର୍ଯ୍ୟକ୍ରମରେ ୧୦ ହଜାର ଟଙ୍କା ମିଳିଥାଏ। ତେବେ ସବୁଠୁ ବଡ଼ କଥା ହେଉଛି ଏହି ୫ ହଜାର ଟଙ୍କା ପାଉଣାରେ ପ୍ରାୟ ୧୨ ଜଣ କଳାକାର ନିଜର ପେଟ ପାଟଣା ବୁଝିଥାନ୍ତି। ତେବେ ସରକାର କିନ୍ତୁ ଏହି କଳାକୁ ବଞ୍ଚେଇ ରଖିବାକୁ ଯେତିକି ଉଦ୍ୟମ କରିବା କଥା, ସେତିକି କରୁ ନାହାନ୍ତି ବୋଲି କ୍ଷୋଭର ସହିତ କହିଛନ୍ତି ମାଗୁଣି କୁଅଁର।

ସୂଚନାଯୋଗ୍ୟ ଯେ, ସାରା ଭାରତବର୍ଷରୁ ୯୨ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଓଡ଼ିଶାରୁ ୪ ଜଣ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ମାଗୁଣି ଚରଣ କୁଅଁରଙ୍କ ସମେତ ପ୍ରସିଦ୍ଧ ସମ୍ବଲପୁରୀ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ, ଶିକ୍ଷ ସାହିତ୍ୟରେ ଅନ୍ତର୍ଯ୍ୟାମୀ ମିଶ୍ର, କୃଷି କ୍ଷେତ୍ରରେ ପଟ୍ଟାୟତ ସାହୁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି ।

Related Posts