ଇସ୍‌ଲାମାବାଦ୍‌: ଘୋର ଆର୍ଥିକ ସଂକଟ ମଧ୍ୟରେ ଗତି କରୁଛି ପାକିସ୍ତାନ । ତା ସାଙ୍ଗକୁ ପ୍ରଳୟଙ୍କରୀ ବନ୍ୟା ବୋଝ ଉପରେ ଲଳିତା ବିଡା ସାଜିଛି । ସେପଟେ ଭାରତଠୁ ସହାୟତା ଆଶା କରିଛି ପାକିସ୍ତାନ। ବୟନ ଶିଳ୍ପରେ ସୃଷ୍ଟି ହୋଇଥିବା ଦୟନୀୟ ପରିସ୍ଥିତିର ସୁଧାର ନିମନ୍ତେ ଭାରତରୁ ତୁଳା ଆମଦାନି କରିବା ଲାଗି ଅନୁମତି ଦେବା ପାଇଁ ଏକ ବାଣିଜ୍ୟ ସଙ୍ଗଠନ ଶେହବାଜ୍‌ ଶରିଫ୍‌ ସରକାରଙ୍କୁ ନିବେଦନ କରିଛି।

ସିନ୍ଧ୍‌ ଓ ପଞ୍ଜାବ ପ୍ରଦେଶରେ ତୁଳା ଉତ୍ପାଦନକାରୀମାନେ ଭୀଷଣ କ୍ଷତିଗ୍ରସ୍ତ ହୋଇଥିବାରୁ ରପ୍ତାନି ଚାହିଦା ମେଣ୍ଟାଇବା ପାଇଁ ‘ପାକିସ୍ତାନ ଟେକ୍‌ଷ୍ଟାଇଲ୍‌ ଏକ୍ସପୋର୍ଟ ଆସୋସିଏନ୍‌’ ଭାରତ ସହିତ ୱାଘା ଜରିଆରେ ବାଣିଜ୍ୟ ପ୍ରସ୍ତାବ ଦେଇଥିବା କଥା ସମ୍ବାଦପତ୍ର ‘ଡନ୍‌’ ରିପୋର୍ଟ କରିଛି।

ରପ୍ତାନିକାରୀଙ୍କ ଆକଳନକୁ ଆଧାର କରି ‘ଡନ୍‌’ ଆହୁରି ମଧ୍ୟ ରିପୋର୍ଟ କରିଛି‌ ଯେ, ଅମଳ ହେବାକୁ ଥିବା ସମୁଦାୟ କପା ଫସଲରୁ ୨୫% ନଷ୍ଟ ହୋଇଯାଇଥିବାରୁ ପାକିସ୍ତାନରେ କଞ୍ଚାମାଲ୍‌ ନିଅଣ୍ଟ ହୋଇପାରେ।

‘ଡନ୍‌’ ସମ୍ବାଦପତ୍ରକୁ ‘ପାକିସ୍ତାନ ଏକ୍ସପୋର୍ଟର୍ସ ଆସୋସିଏସନ୍‌’ର ମୁଖ୍ୟ ପୃଷ୍ଠପୋଷକ ଖୁରମ୍‌ ମୁଖଥତାର୍‌ କହିଛନ୍ତି, ଆମର ଦାବି ପ୍ରତି ଦୃଷ୍ଟି ଦେବା ପାଇଁ ଆମେ ଅର୍ଥମନ୍ତ୍ରୀ ମିଫ୍‌ତା ଇସ୍‌ମାଇଲ୍‌ଙ୍କୁ ନିବେଦନ କରିଛୁ। ପ୍ରକୃତରେ କେତେ ତୁଳା ଆବଶ୍ୟକ ତାହାର ସଠିକ ଆକଳନ ସେପ୍ଟେମ୍ବର ୧୫ ତାରିଖ ପରେ ଜଣାପଡ଼ିବ। ବୋଧହୁଏ ଭାରତରୁ ଆମେ ୨.୫ ନିୟୁତ ତୁଳା ଗାଣ୍ଠି ଆମଦାନି କରିପାରୁ।

ସୂଚନାଯୋଗ୍ୟ, ମଞ୍ଜି କମ୍ପାନିମାନଙ୍କ ସହିତ ବୁଝାମଣା କରି ସ୍ଥାନୀୟ ବଜାରରେ ଅତ୍ୟାଧୁନିକ କପା ମଞ୍ଜି ଉପଲବ୍ଧ କରାଇବା ପାଇଁ ବୁଧବାର ଦିନ ପାକିସ୍ତାନ ସରକାର ଗୋଟାଏ କମିଟି ଗଠନ କରିଛି।

ଏହାଛଡ଼ା, ତୁଳା ଅଭାବର ବାସ୍ତବ ପରିସ୍ଥିତି ଅନୁଧ୍ୟାନ କରିବା ପରେ ଯାଇ ଭାରତରୁ ତୁଳା ଆମଦାନି ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଅର୍ଥମନ୍ତ୍ରୀ ମିଫ୍‌ତା ଇସ୍‌ମାଇଲ୍‌ କହିଛନ୍ତି