
ସତ୍ୟପାଠ ବ୍ୟୁରୋ : କୁଳଭୂଷଣ ଯାଧବ ମାମଲାରେ ଆନ୍ତର୍ଜାତୀୟ ଅଦାଲତଙ୍କ ରାୟକୁ ନିଜ ସପକ୍ଷରେ ଭାବି ନେଇ ଦମ୍ଭ ଦେଖାଉଥିବା ପାକିସ୍ତାନକୁ ଶେଷରେ ମୁଣ୍ଡ ନୁଆଁଇବାକୁ ପଡ଼ିଛି । ଜେଲ୍ରେ ବନ୍ଦୀ ରଖିଥିବା କୁଳଭୂଷଣଙ୍କୁ ଆଇନଗତ ସମସ୍ତ ସୁବିଧା ଦେବାକୁ ପ୍ରସ୍ତୁତି କରିଛି । ଏ ନେଇ ପାକ୍ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଗୁରୁବାର ବିଳମ୍ବିତ ରାତିରେ ସୂଚନା ଦେଇଛନ୍ତି । ତେବେ କେବେ ଏ ସୁବିଧା ମିଳିବ ସେ ନେଇ କୌଣସି ଘୋଷଣା କରାଯାଇ ନାହିଁ । ଯାଧବଙ୍କୁ ଭିଏନା ସନ୍ଧିର ଧାରା ୩୬, ଅନୁଚ୍ଛେଦ ୧ (ବି) ଅନୁସାରେ ତାଙ୍କ ଅଧିକାରୀଙ୍କ ବିଷୟରେ ଜଣାଇ ଦିଆଯାଇଥିବା ପ୍ରବକ୍ତା କହିଛନ୍ତି ।
ପୂର୍ବରୁ କିନ୍ତୁ ପାକିସ୍ତାନ କୁଳଭୂଷଣଙ୍କୁ କୌଣସି ଆଇନଗତ ସୁବିଧା ଦେବାକୁ ରାଜି ହେଉ ନ ଥିଲା । ଭାରତର ବାରମ୍ବାର ଅନୁରୋଧ ପରେ ତାଙ୍କ ମା’ ଓ ସ୍ତ୍ରୀଙ୍କୁ ଦେଖା କରିବାକୁ ଅନୁମତି ଦେଇଥିଲା । କିନ୍ତୁ ତାଙ୍କ ସହ ସେଠାରେ ବହୁ ଅମାନବୀୟ ଭାବେ ବ୍ୟବହାର କରାଯାଇଥିଲା ।
ଉଲ୍ଲେଖ ଯୋଗ୍ୟ, ଆଇସିଜେ କୁଳଭୂଷଣଙ୍କ ଫାଶି ଦଣ୍ଡ ଉପରେ ରହିତାଦେଶ ଜାରି କରିଛନ୍ତି । କୁଳଭୂଷଣଙ୍କୁ ପାକିସ୍ତାନ ଏବେ ଫାଶି ଦେଇ ପାରିବ ନାହିଁ । ଫାଶି ଦଣ୍ଡର ପୁନଃ ବିଚାର ପାଇଁ ପାକିସ୍ତାନକୁ ଆଇସିଜେ ନିର୍ଦ୍ଦେଶ ଦେଇଛି ।