ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଟାର୍ଗେଟ କଲେ ତାଙ୍କ ପୂର୍ବତନ ପତ୍ନୀ ରେହମ ଖାନ । ନିଜ ପଦକୁ ଇମ୍ରାନ ଖାନ ଚିନ୍ତାରେ ଥିବାବେଳେ ଗୋଟିଏ ପରେ ଗୋଟିଏ ବୟାନ ଦେଇ ବେଶ ଚର୍ଚ୍ଚାରେ ରହୁଛନ୍ତି ତାଙ୍କର ପୂର୍ବତନ ପତ୍ନୀ । ଏହା ମଧ୍ୟରେ ପୁଣିଥରେ ଇମ୍ରାନଙ୍କୁ ରେହମ ଖାନ ସମାଲୋଚନା କରିଥିବାର ଦେଖିବାକୁ ମିଳିଛି । ତେବେ ନିଜ ପ୍ରଧାନମନ୍ତ୍ରିତ୍ୱ କାଳରେ ଦେଶରେ ଇମ୍ରାନ ଖାନ ସୃଷ୍ଟି କରିଥିବା ବିଶୃଙ୍ଖଳାକୁ ହଟାଇ ଦେଶକୁ ଆଉଥରେ ଶୃଙ୍ଖଳିତ କରିବା ପାଇଁ ଦେଶବାସୀ ବର୍ତ୍ତମାନ ଏକାଠି ହେବା ଉପରେ ଧ୍ୟାନ ଦେବା ଉଚିତ। ଇମ୍ରାନ ଖାନ ୨୦୧୮ରେ ଏକ ନୟା ପାକିସ୍ତାନ ସୃଷ୍ଟି କରିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ। କିନ୍ତୁ, ସମସ୍ତ ପ୍ରକାର ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାରେ ବିଫଳ ହୋଇଥିଲେ। ଖାଲି ଏତିକି ନୁହେଁ, ଦେଶବାସୀଙ୍କ ମୌଳିକ ସମସ୍ୟାର ସମାଧାନ କରିବାରେ ଶୋଚନୀୟ ଭାବରେ ବିଫଳ ହୋଇଥିଲେ ଇମ୍ରାନ, ଯାହା ବିରୋଧୀଙ୍କୁ ତାଙ୍କ ସରକାରଙ୍କୁ ଅପାରଗ ଭାବରେ ଟାର୍ଗେଟ କରିବାକୁ ସୁଯୋଗ ଦେଇଥିଲା।
ଇମ୍ରାନଙ୍କୁ କଟାକ୍ଷ କରି ପୂର୍ବତନ ପତ୍ନୀ ରେହମ କରିଛନ୍ତି, ‘ଇମ୍ରାନ୍ ଇତିହାସ!! ମୁଁ ଭାବୁଛି ନୟା ପାକିସ୍ତାନ ନାମରେ ଦେଶରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳାକୁ ସଫା କରିବା ପାଇଁ ଆମେ ଏକାଠି ଠିଆ ହେବା ଉପରେ ଧ୍ୟାନ ଦେବା ଉଚିତ। ଏହା ସହ ଇମ୍ରାନ ଖାନଙ୍କ ପାଖରେ ଯାହା ନାହିଁ, ତାହା ହେଉଛି ବୁଦ୍ଧି ଏବଂ ସାମର୍ଥ୍ୟ। କାରଣ ପାକିସ୍ତାନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଭଗବାନଙ୍କ ଅନୁଗ୍ରହ ଦ୍ୱାରା ତାଙ୍କୁ କିଛି ଆବଶ୍ୟକ ନାହିଁ। କାରଣ ସେ ଜୀବନରେ ସବୁକିଛି ହାସଲ କରିଛନ୍ତି- ଖ୍ୟାତି, ସମ୍ପତ୍ତି’। ଇମ୍ରାନ ଖାନଙ୍କ ଭାଷଣର ତୀବ୍ର ସମାଲୋଚନା କରି ରେହମ ଖାନ କହିଛନ୍ତି, ‘ହଁ, ଯେତେବେଳେ ଆପଣ ପ୍ରଧାନମନ୍ତ୍ରୀ ନଥିଲେ ସେତେବେଳେ ପାକିସ୍ତାନ ବହୁତ ଭଲ ଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
