ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ପ୍ରତିଦ୍ୱନ୍ଦିତା କରିବେ ପଲ୍ଲବୀ ପଟେଲ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ପାଖେଇ ଆସୁଛି ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ । ନିର୍ବାଚନକୁ ନେଇ ସାରା ଦେଶର ନଜର ବର୍ତ୍ତମାନ ଉତ୍ତରପ୍ରଦେଶରେ ରହିଛି । କିଏ ଏଥର କ୍ଷମତାକୁ ଆସିବ ସେ ନେଇ ଅନେକ କଳ୍ପନା ଜଳ୍ପନା ଆରମ୍ଭ ମଧ୍ୟ ହୋଇଗଲାଣି । ସେପଟେ ରାଜନୈତିକ ଦଳମାନେ ନିଜର ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଅପନା ଦଳର ନେତା ପଲ୍ଲବୀ ପଟେଲ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ସିରାଥୁ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ରାଜି ହୋଇଥିବାର ଖବର ସାମ୍ନାକୁ ଆସିଛି । ସେ ସମାଜବାଦୀ ପାର୍ଟିର ଚିହ୍ନରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ସେପଟେ ସେ ଆସନ୍ତାକାଲି ତାଙ୍କର ନାମାଙ୍କନପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ପୂର୍ବରୁ ଏହି ଆସନରୁ ପଲ୍ଲବୀ ପଟେଲ ପ୍ରତିଦ୍ୱନ୍ଦିତା କରିବାକୁ ମନା କରିଦେଇଥିଲେ । ଫେବୃଆରୀ ୨ ତାରିଖରେ ସମାଜବାଦୀ ପାର୍ଟି ତାଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲେ । କିନ୍ତୁ ସେ ଏଥିରେ ରାଜି ହୋଇନଥିଲେ । ସେପଟେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ପୂର୍ବତନ ସାଂସଦ ଡିମ୍ପଲ ଯାଦବ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । କାହିଁକିନା ଅଖିଳେଶ ଯାଦବ ପଶ୍ଚିମ ଉତ୍ତରପ୍ରଦେଶରେ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି । ଏଭଳି ପରିସ୍ଥିତିରେ ପୂର୍ବତନ ସାଂସଦ ଡିମ୍ପଲ ଯାଦବ ଆସିବାର ସମ୍ଭାବନା ରହିଛି ।

Related Posts