ନା ସରକାରୀ ପଦବୀରେ ନା ସଙ୍ଗଠନରେ; ତଥାପି ସଚିନ ପାଇଲଟଙ୍କୁ କାହିଁକି କଂଗ୍ରେସ ୪ଟି ରାଜ୍ୟ ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ରଖିଛି ? ଆସନ୍ତୁ ଜାଣିବା

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ଦଳର ଜଣେ ଶ୍ରେଷ୍ଠ ଚେହେରା ହେଉଛନ୍ତି ସଚିନ ପାଇଲଟ । ରାଜନୀତିରେ ମଧ୍ୟ ବେଶ ମଜବୁତ ପକଡ ଅଛି ତାଙ୍କର । ନିଜର ସ୍ୱଭାବ ଏବଂ କାର୍ଯ୍ୟକୁ ନେଇ ଯୁବକମାନଙ୍କର ସେ ଜଣେ ଆଦର୍ଶ ହୋଇପାରିଛନ୍ତି । ଚଳିତଥର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ତାଙ୍କୁ ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଗୋଆରେ ସଚିନ ପାଇଲଟଙ୍କୁ ଷ୍ଟାର ପ୍ରଚାରକ କରିଛି । ହେଲେ ନା ସେ ସରକାରରେ କିମ୍ବା ସଂଗଠନରେ । ଏପରିକି ଥରେ ଗେହଲୋଟଙ୍କ ବିରୁଦ୍ଧରେ ବିଦ୍ରୋହ ମଧ୍ୟ କରିଛନ୍ତି। ତେବେ ହଠାତ୍ ପାଇଲଟଙ୍କୁ କାହିଁକି ଏତେ ପସନ୍ଦ କରାଯାଉଛି ? ଏନେଇ ଅନେକଙ୍କ ମନରେ ପ୍ରଶ୍ନ ମଧ୍ୟ ଉପୁଜିବାରେ ଲାଗିଛି । ସଚିନ ପାଇଲଟଙ୍କୁ ଷ୍ଟାର ପ୍ରଚାରକ କରିବା କଂଗ୍ରେସ ହାଇକମାଣ୍ଡର ଏକ ରାଜନୈତିକ ବାର୍ତ୍ତା ଭାବରେ ଦେଖାଯାଉଛି। ଜୁଲାଇ ୨୦୨୦ ଅର୍ଥାତ ଦେଢ଼ ବର୍ଷ ପୂର୍ବେ ପାଇଲଟ ରାଜସ୍ଥାନରେ ବିଦ୍ରୋହ କରିବା ପରେ ପାଇଲଟଙ୍କୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରାଯିବ ବୋଲି କୁହାଯାଉଥିଲା।

ହେଲେ ବର୍ତ୍ତମାନ ଦଳର କାର୍ଯ୍ୟକଳାପରୁ ଲାଗୁଛି ଯେ ସଚିନ ପାଇଲଟଙ୍କୁ ଖୁବଶୀଘ୍ର ଦଳ ଏକ ବଡ଼ ପୋଷ୍ଟ ଦେଇପାରେ । କାହିଁକିନା ସଚିନଙ୍କ ସମର୍ଥନରେ ଥିବା ଅନେକ ନେତାଙ୍କୁ ରାଜସ୍ଥାନ ସରକାର ବିଭିନ୍ନ ପଦବୀ ଦେବାରେ ଲାଗିଛନ୍ତି । ତେଣୁ ପାଇଲଟ ମଧ୍ୟ କୌଣସି ବଡ଼ ପଦବୀରେ ରହିବେ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ କଂଗ୍ରେସ ତାଙ୍କୁ ବାହାର ରାଜ୍ୟରେ ପ୍ରଚାର ପାଇଁ ପଠାଇଛି। ପାଇଲଟ ପ୍ରତ୍ୟେକ ରାଜ୍ୟକୁ ଯାଇ କଂଗ୍ରେସ ପାଇଁ ଭୋଟ୍ ମଧ୍ୟ ମାଗିବାରେ ଲାଗିଛନ୍ତି । ଏବଂ ଦଳରେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସକ୍ରିୟ ହୋଇରହିଛନ୍ତି । ଏଭଳି ପରିସ୍ଥିତିରେ ଏହା ସ୍ପଷ୍ଟ ଯେ ଭବିଷ୍ୟତରେ ରାଜସ୍ଥାନରେ ଗେହଲଟଙ୍କ ସ୍ଥାନ ନେବାରେ ସେ ସବୁଠାରୁ ଶକ୍ତିଶାଳୀ ନେତା ଅଟନ୍ତି। ଏହିପରି ଅନେକ ନେତାଙ୍କ ନାମ ଏହି ରାଜ୍ୟଗୁଡିକର ତାରକା ପ୍ରଚାରକ ତାଲିକାରେ ଅନ୍ତର୍ଭୁକ୍ତ, କିନ୍ତୁ ସେମାନଙ୍କର ସକ୍ରିୟତା ଶୂନ୍ୟ । କଂଗ୍ରେସ ପାଇଁ ପ୍ରଚାର କରୁନାହାନ୍ତି କିମ୍ବା ଦଳ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁନାହାନ୍ତି ।

Related Posts