
ପାଲଲହଡା (ସତ୍ୟପାଠ)– ଗ୍ରାମାଞ୍ଚଳ ରେ ଶ୍ରମିକ ମାନଙ୍କୁ 100 ଦିନର ସୁନିଶ୍ଚିତ ରୋଜଗାର ଯୋଗାଇଦେବା ପାଇଁ ଏବଂ ଶ୍ରମିକ ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ମନରେଗା ଯୋଜନା କରିଛନ୍ତି। ତେବେ ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ଏବେ ଶ୍ରମିକ ମାନଙ୍କର ମିଥ୍ୟା ମଷ୍ଟରରୋଲ ପ୍ରସ୍ତୁତ କରାଯାଇ ମନରେଗା ଯୋଜନାରେ ଆସିଥିବା ପ୍ରକଳ୍ପ ଗୁଡିକୁ ମେସିନ ସାହାଯ୍ୟରେ ସମ୍ପୂର୍ଣ୍ଣ କରାଇ ଡମି ଶ୍ରମିକମାନଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯାଉଛି । ପରେ ଉକ୍ତ ଟଙ୍କାକୁ ଠିକାଦାର ବିଭିନ୍ନ ଗ୍ରାହକ ସେବା କେନ୍ଦ୍ର ମାଧ୍ୟମରେ ଶ୍ରମିକ ମାନଙ୍କ ଟିପ ଚିହ୍ନ ଦେଇ ଉଠାଇ ନେଉଥିବା ଦେଖିବାକୁ ମିଳିଛି।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବତିସୁଆଁ ପଞ୍ଚାୟତରେ। ବତିସୁଆଁ ପଞ୍ଚାୟତର ରଞ୍ଜଣା ଗ୍ରାମରେ10 ଲକ୍ଷ ଟଙ୍କା ଅନୁଦାନରେ ଅମୃତ ସରୋବର ପୋଖରୀ ଖନନ ପାଇଁ ମନରେଗା ଯୋଜନା ଅଧୀନରେ ବତିସୁଆଁ ପଞ୍ଚାୟତର ଜିଆରଏସ ସଞ୍ଜୟ କୁମାର ପ୍ରଧାନ ଆର୍ଥିକ ବର୍ଷ 2024-25 ରେ କ୍ରମିକ ନଂ -2421007005/WC/11173759 ରେ ଏକ ରେକର୍ଡ ଖୋଲିଥିଲେ, ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଜିଆରଏସ ସ୍ଥାନୀୟ ଶ୍ରମିକ ମାନଙ୍କୁ ଫର୍ମ ସି (2) ରେ ନାମ ପଞ୍ଜିକରଣ କରାଇ ମଷ୍ଟରରୋଲ ଖୋଲା ଯାଇ କାମ ଆରମ୍ଭ କରାଇବା କଥା। ତେବେ ଏହି ପୋଖରୀ କାମ ପାଇଁ ବ୍ଲକ କିମ୍ବା ପଞ୍ଚାୟତ ପକ୍ଷରୁ କୌଣସି ଷ୍ଟରରୋଲ ଜାରି କରାଯାଇନଥିବାବେଳେ ବିଗତ ତିନିରୁ ଚାରିଦିନ ହେବ ଦିନରାତି ଜେସିବି ମେସିନ ଓ ଟ୍ରାକ୍ଟର ସାହାଯ୍ୟରେ ଉକ୍ତ ପୋଖରୀ ଖୋଳାଯାଇ ପ୍ରାୟ 80% କାମ ସରିସାରିଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କ ରେ ପଞ୍ଚାୟତ ଗ୍ରାମ ରୋଜଗାର ସେବକଙ୍କୁ ଯୋଗାଯୋଗ କରିବାରେ ସେ ଏ ସମ୍ପର୍କ ରେ କିଛି ଜାଣିନଥିବା କହିଥିବାବେଳେ କୌଣସି ପ୍ରକାର ବେଆଇନ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ, ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡ଼ିଓ ନିଶାନ ମିଶ୍ର କହିଛନ୍ତି।