ମୟୂରଭଞ୍ଜରୁ ମିଆଁମାର, ମା’ ଓ ଛୁଆର ମୂଲ୍ୟ 22 ଲକ୍ଷ

ବଜ୍ରକାପ୍ତା ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାସ୍‌, ଧରାପଡ଼ିଲେ 4 ଜଣ ଶିକାରୀ

6 ବର୍ଷର ବଜ୍ରକାପ୍ତା । ତା ପିଠିରେ ଲଟକିଛି ଗୋଟିଏ ଛୁଆ । ଏ ଦୁଇଟି ବଜ୍ରକାପ୍ତାକୁ ବିକ୍ରି କରିବା ପାଇଁ ହୋଇଥିଲା ୨୨ ଲକ୍ଷ ଟଙ୍କାର ଡିଲ୍ । ବଜ୍ରକାପ୍ତା ଚାଲାଣ ହୋଇଥାଆନ୍ତା ମୟୂରଭଂଜରୁ ମିଆଁମାର । ତା ପୂର୍ବରୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରେ ଧରାପଡ଼ିଛନ୍ତି ଚାରି ଜଣ ବ୍ୟବସାୟୀ। ଅନ୍ତର୍ଜାତୀୟ ରାକେଟ୍ ସହ ଏମାନଙ୍କର ଲିଙ୍କ୍ ଥିବା କହିଛନ୍ତି ଏସଟିଏଫ୍ ଏସପି ସତ୍ୟଜିତ୍ ନାୟକ ।

ଉଦ୍ଧାର ବଜ୍ରକାପ୍ତା ଚାଲାଣ ହୋଇଥାଆନ୍ତେ ବିଦେଶକୁ । ଚୀନ୍‌, ଜାପାନ ଓ ମିଆଁମାରରେ ବ୍ରଜକାପ୍ତାର କାତି ଓ ମାଂସର ଡିମାଣ୍ଡ ଅଧିକ । ବଜ୍ରକାପ୍ତା କାତିରେ ତିଆରି ହୁଏ ମହିଳାଙ୍କ ଅଳଙ୍କାର ଓ ବିରଳ ଔଷଧ । ବାସ୍ତୁ ଉଦ୍ଦେଶ୍ୟରେ ମଧ୍ୟ ଏହାର ବ୍ୟବହାର କରାଯାଏ ।

ଦେଶ ଭିତରେ ବଜ୍ରକାପ୍ତାର ମୂଲ୍ୟ ଯେତିକି, ବିଦେଶରେ ପହଞ୍ଚିଲେ ତାହା ତିନି ଗୁଣା ହୋଇଯାଏ । ଗୋଟିଏ କାତିର ମୂଲ୍ୟ ୧୦ ହଜାରରୁ ୧୫ ହଜାର ଟଙ୍କାରେ ବିକ୍ରି ହୁଏ । ଅଧିକ ଖୁଲାସା ପାଇଁ ଗିରଫ ଶିକାରୀମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛି ଏସଟିଏଫ୍ ।

ଉଦ୍ଧାର ମା ଓ ଛୁଆ ବଜ୍ରକାପ୍ତାକୁ ନନ୍ଦନକାନନରେ ଛାଡ଼ିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ବଜ୍ରକାପ୍ତା ଚୋରାଚାଲାଣ ଅଭିଯୋଗରେ ୮ ଜଣରୁ ଅଧିକ ଶିକାରୀ ଓ ବ୍ୟବସାୟୀଙ୍କୁ ଗିରଫ କରିଥିଲା ଏସ୍‌ଟିଏଫ୍ । ମିଆଁମାରରେ ଆତ୍ମଗୋପନ କରିଥିବା ଅନ୍ତର୍ଜାତୀୟ କୁଖ୍ୟାତ ବ୍ୟବସାୟୀକୁ ଧରିବା ପାଇଁ ଇଣ୍ଟରପୋଲର ସହାୟତା ବି ନେଇଛି ଏସଟିଏଫ୍ ।

Related Posts