ପୁଣି ସର୍ଜିକାଲ୍‌ ଷ୍ଟ୍ରାଇକ୍‌କୁ ନେଇ ବିବାଦ

ପାକିସ୍ତାନ ଅଧିକୃତ କଶ୍ମୀର- ପିଓକେରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନା ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ୍‌ କରାଯାଇଛି ଏକଥା ସତ । କିନ୍ତୁ ଏହାକୁ ଯେଉଁ ପରିମାଣରେ କରାଯାଇଛି ତା’ଠାରୁ ଅଧିକ ଏହାର ପ୍ରଚାର କରାଯାଇଥିବା କହିଛନ୍ତି ଅବସରପ୍ରାପ୍ତ ସେନା ଅଧିକାରୀ ଡି ଏସ୍‌ ହୁଡ୍ଡା ।

ସେ କହିଛନ୍ତି ଏଠାରେ ସେନା ଅପରେଶନ ଜରୁରୀ ଥିଲା, ଯାହା ସେନା କରିଛି । କିନ୍ତୁ ଏହାକୁ ଆବଶ୍ୟକତାଠାରୁ ଅଧିକ ଦେଖାଯାଇଛି । ଏହାକୁ ନେଇ ରାଜନୀତି ମଧ୍ୟ ହୋଇଛି । ଅବଶ୍ୟ ଏହା ଠିକ୍‌ କି ଭୁଲ୍‌ ତାହା ରାଜନେତାମାନେ କହିପାରିବେ ବୋଲି କହିଛନ୍ତି ହୁଡ୍ଡା । ସଫଳତା ପାଇଁ ଖୁସି ଜାହିର କରିବା ସ୍ବାଭାବିକ କଥା, କିନ୍ତୁ ବାରମ୍ବାର ପ୍ରଚାର କରିବା ଅନୁଚିତ ।

ସର୍ଜିକାଲ ଷ୍ଟ୍ରାଇକକୁ ନେଇ ହୁଡ୍ଡାଙ୍କ ମନ୍ତବ୍ୟ ପରେ ଜୋର ଧରିଛି ରାଜନୀତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଟ୍ବିଟ୍‌ କରି କହିଛନ୍ତି, ଜେନେରାଲ ସତ କହିଛନ୍ତି । ପ୍ରଧାନମନ୍ତ୍ରୀ ସେନାକୁ ନିଜର ବ୍ୟକ୍ତିଗତ ସମ୍ପତ୍ତି ଭାବେ ବ୍ୟବହାର କରିବା ନେଇ ଲଜ୍ଜା ଅନୁଭବ କରିବା ଉଚିତ । ସେ ସର୍ଜିକାଲ ଷ୍ଟ୍ରାଇକକୁ ରାଜନୈତିକ ଲାଭ ପାଇଁ ପ୍ରଚାର କରିଥିଲେ । ରାହୁଲଙ୍କ ପରି ଅନ୍ୟ କଂଗ୍ରେସ ନେତା ମଧ୍ୟ ହୁଡ୍ଡାଙ୍କୁ ସମର୍ଥନ କରିଛନ୍ତି ।

Related Posts