ଅଦାଲତରେ ଜାମିନ ପାଇଁ ପାର୍ଥ ଚାଟାର୍ଜୀଙ୍କ ଗୁହାରି; “ମୁଁ ଆଉ ରାଜନୈତିକ ବ୍ୟକ୍ତି ନୁହେଁ, ଜାମିନ ମିଳିଲେ ବିଧାୟକ ପଦ ଛାଡିଦେବି”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମବଙ୍ଗ ସରକାରର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଓକିଲ କୋର୍ଟରେ ଜାମିନ ପାଇଁ ଗୁହାରି କରିଛନ୍ତି। ସେ ଅଦାଲତରେ କହିଛନ୍ତି, ପାର୍ଥ ଚାଟାର୍ଜୀ ଆଉ ରାଜନୈତିକ ବ୍ୟକ୍ତି ହୋଇ ନାହାନ୍ତି। ଯଦି ଆବଶ୍ୟକ ପଡେ ସେ ନିଜ ବିଧାୟକ ପଦ ଛାଡି ଦେବେ। ବେହାଲା ଦକ୍ଷିଣରୁ ତୃଣମୂଳ କଂଗ୍ରେସର ବିଧାୟକ ଚାଟାର୍ଜୀଙ୍କୁ ଗତ ସପ୍ତାହରେ ଦଳରୁ ନିଲମ୍ବିତ କରାଯାଇଥିଲା। ହେଲେ ଅଦାଲତ ଏହି ଜାମିନ ଆବେଦନ ଉପରେ ଶୁଣାଣି ନକରି ଉଭୟ ଅର୍ପିତା ମୁଖାର୍ଜୀ ଓ ପାର୍ଥ ଚାଟାର୍ଜୀଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ପାର୍ଥ ଚାଟାର୍ଜୀ ଏହି ସମୟରେ ଅଦାଲତରେ କହିଛନ୍ତି, ତାଙ୍କୁ ଜାମିନ ମିଳିବା ଉଚିତ୍। ସେ ଆଉ ବର୍ତ୍ତମାନ ରାଜନୈତିକ ଲୋକ ନୁହନ୍ତି। ଯଦି ଆବଶ୍ୟକ ପଡେ ସେ ବିଧାୟକ ପଦ ଛାଡିବାକୁ ପ୍ରସ୍ତୁତ। ଏହାକୁ ବିଚାର କରି ଅଦାଲତ ମୋତେ ଜାମିନ ଦିଅନ୍ତୁ। ଅନ୍ୟପଟେ ଅର୍ପିତା ମୁଖାର୍ଜୀ ଜାମିନ ଆବେଦନ କରିନାହାନ୍ତି, ବରଂ ସେ ନିଜ ପାଇଁ ସ୍ଵତନ୍ତ୍ର ସୁରକ୍ଷା ଦାବି କରିଛନ୍ତି। ଅଦାଲତ ସ୍ଵତନ୍ତ୍ର ସୁରକ୍ଷା ଦେବାକୁ ମଞ୍ଜୁରୀ ଦେଇଛନ୍ତି। ଅଦାଲତ ମଧ୍ୟ ମାନିଛନ୍ତି ଯେ, ଜେଲ୍‌ରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଏଥିପାଇଁ ଜେଲ୍‌ରେ ଭୋଜନ ଏବଂ ପାଣି ଦିଆଯିବା ପୂର୍ବରୁ ପରୀକ୍ଷଣ କରାଯିବା ଉଚିତ୍।

ସୂଚନାଯୋଗ୍ୟ, ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କୁ ଗତ ଜୁଲାଇ ୨୩ରେ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଗିରଫ କରାଯାଇଥିଲା। ଏହି ମାମଲା ୨୦୧୬ର ଏବଂ ସେହି ସମୟରେ ପାର୍ଥ ମମତା ବାନାର୍ଜୀ ସରକାରରେ ଶିକ୍ଷା ମନ୍ତ୍ରୀ ଥିଲେ। ବର୍ତ୍ତମାନ ଯାଞ୍ଚ ଏଜେନ୍ସି ଏହି ମାମଲାରେ ମନି ଲଣ୍ଡ୍ରିଂ ଦିଗରୁ ମାମଲାର ତଦନ୍ତ କରୁଛି।

Related Posts