ହାଇଓ୍ୱା ସହ ଧକ୍କା ହୋଇ ରାସ୍ତାତଳକୁ ଓଲଟିଲା ଯାତ୍ରୀବାହୀ ବସ୍, ୪୦ରୁ ଅଧିକ ଆହତ

ଭୁବନେଶ୍ୱର,୪/୧(ସତ୍ୟପାଠ ବ୍ୟୁରୋ): କଟକ-ଚାନ୍ଦବାଲି ରାସ୍ତାର ଛପୋଲିଆ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌କୁ ହାଇଓ୍ୱା ଧକ୍କା ଦେବାରୁ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାତଳକୁ ଓଲଟି ପଡ଼ିଛି। ଦୁର୍ଘଟଣାରେ ୪୦ରୁ ଉର୍ଦ୍ଧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତ ଯାତ୍ରୀଙ୍କୁ ଆଳି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଆଜି ସକାଳେ ବସ୍‌ଟି ପ୍ରାୟ ୭୦ଜଣ ଯାତ୍ରୀଙ୍କୁ ନେଇ ଚାନ୍ଦବାଲିରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ହାଇଓ୍ୱା ବସ୍‌କୁ ଧକ୍କା ଦେଇଥିଲା। ପରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ବସ୍‌ରୁ ଉଦ୍ଧାର କରିଥିଲେ। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ହେଲେ ହାଇଓ୍ୱା ଡ୍ରାଇଭର ଓ ହେଲପରଙ୍କର କିଛି ହୋଇ ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Related Posts