ପଟିଆଲା ହିଂସାକାଣ୍ଡ ଘଟଣା: ତିନି ଜଣ ଗିରଫ

ଚଣ୍ତିଗଡ: ପଞ୍ଜାବର ପଟିଆଲାରେ ଖଲିସ୍ତାନୀ ବିରୋଧୀ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ହିଂସାକାଣ୍ଡ ଘଟଣା ରେ ଗିରଫ ହୋଇଛନ୍ତି 3 ଜଣ ।

ସେପଟେ ଗୁଜବ ପ୍ରଚାର ବନ୍ଦ କରିବା ସହ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପଞ୍ଜାବରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା । କିନ୍ତୁ ଏବେ ତାହାକୁ ରିଷ୍ଟୋର କରାଯାଇଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ଆଧାର କରି ତଦନ୍ତ ଜାରି ରହିଛି । ତେବେ ଏ ପର୍ଯ୍ୟନ୍ତ ୨୪ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । ଏଥିପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ଆଗକୁ ଗିରଫଦାରୀଙ୍କ ସଂଖ୍ୟା ବଢିବ ବୋଲି ପଟିଆଲା ଏସଏସପି ଦୀପକ ପ୍ରତୀକ ସୂଚନା ଦେଇଛନ୍ତି ।ସହରରେ ଲାଗିଥିବା କର୍ଫ୍ୟୁକୁ ହଟାଯିବା ସହ ଇଣ୍ଟରନେଟ ସେବା ପୁଣି ଥରେ ଆରମ୍ଭ ହୋଇଛି । ସହରରେ ଶାନ୍ତି ଫେରାଇ ଆଣିବାକୁ ଶାନ୍ତି କମିଟି ବୈଠକ ହୋଇଛି । ଅନ୍ୟପଟେ ହିଂସା ରୋକିବାରେ ବିଫଳ ହେବାରୁ ମଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୩ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ବଦଳି କରାଯାଇଛି । ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ହିଂସା ପାଇଁ ବିରୋଧୀ ଦଳଙ୍କୁ ଦାୟୀ କରିଛନ୍ତି । ଏହି ହିଂସାରେ ଶିବସେନା, କଂଗ୍ରେସ ଏବଂ ଅକାଳି ଦଳ କର୍ମୀ ଜଡିତ ଥିବା ସେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ପଟିଆଲାକୁ ଶାନ୍ତି ଫେରିଛି । ଜନ ଜୀବନ ଏକ ପ୍ରକାର ସ୍ବାଭାବିକ ହୋଇଛି ।

ସୂଚନା ଅନୁସାରେ, ଏପ୍ରିଲ 29ରେ ପଞ୍ଜାବରେ ଶିବସେନାର ମୁଖ୍ୟ କାର୍ଯ୍ୟକର୍ତ୍ତା ହରିଶ ସିଙ୍ଗଲାଙ୍କ ନେତୃତ୍ବରେ ଖାଲିସ୍ତାନ ବିରୋଧୀ ଶୋଭାଯାତ୍ରା ଆର୍ଯ୍ୟ ସମାଜ ଛକ ନିକଟରୁ ପଟିଆଲାକୁ ଆରମ୍ଭ ହୋଇଥିଲା । ଏହି ସମୟରେ କିଛି ଶିଖ୍‌ ସମ୍ପ୍ରଦାୟର ଲୋକେ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ଫିଙ୍ଗାଫିଙ୍ଗି ଆରମ୍ଭ ହୋଇଥିଲା । ସ୍ଥିତି ଏପରି ଉତ୍ତେଜନାପୂର୍ଣ୍ଣ ରହିିଥିଲା ଯେ, ପୋଲିସ ଫାଙ୍କା ଗୁଳି ମଧ୍ୟ ଚଳାଇଥିଲା । ଏହି ବିବାଦ ପରେ ସହରରେ 11 ଘଣ୍ଟିଆ କର୍ଫ୍ୟୁ ଲାଗୁ କରାଯାଇଥିଲା । ଏବଂ ମୋବାଇଲ୍ ଇଣ୍ଟରନେଟ୍ ସେବାକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଥିଲା ।

Related Posts