ପୋଲସରା ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା, ଶୀତରେ ରୋଗୀଙ୍କ ହାଲ୍‌ ବେହାଲ୍‌

ପୋଲସରା: ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ନାରା ଦେଉଛନ୍ତି ସରକାର । କିନ୍ତୁ ରାଜ୍ୟରେ ସ୍ବାସ୍ଥ୍ୟସେବା କେମିତି ଯୋଗାଯାଉଛି ତାର ପ୍ରମାଣ ହେଉଛି ପୋଲସରା ଡାକ୍ତରଖାନା । ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିଥିବା ନାନା ସମସ୍ୟା ଫଳରେ ଏବେ ଶୀତ ଦିନରେ ରୋଗୀ ହସ୍ତସନ୍ତ ହେଉଛନ୍ତି ।

କେବଳ ରୋଗୀ ନୁହନ୍ତି ଡାକ୍ତରଖାନାର ଡାକ୍ତର ଓ ଆଟେଣ୍ଡାଣ୍ଟ ମାନେ ମଧ୍ୟ ନାନା ସମସ୍ୟାର ସାମ୍ନା କରୁଥିଲେ ବି ଦୀର୍ଘ ଦିନ ହେଲା ଏହାର ସମାଧାନ କରାଯାଉନାହିଁ । ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଆଖପାଖ ଅଞ୍ଚଳର 300ରୁ ଅଧିକ ଗାଁର ବାସିନ୍ଦା ନିର୍ଭର କରନ୍ତି । କିଛି ଦିନ ତଳେ ଏଠାରୁ ତିନି ଜଣ ଡାକ୍ତରଙ୍କୁ ବଦଳି କରିନିଆଯାଇଛି । ମେଡିକାଲ ଅଫିସର ପଦବୀ ମଧ୍ୟ ଖାଲି ପଡ଼ିଛି । ଏବେ ଡାକ୍ତରଖାନାକୁ ଆସୁଥିବା ହଜାର ହଜାର ରୋଗୀ ଜଣେ ଶିଶୁ ଡାକ୍ତର ଓ ଜଣେ ଏସ୍‌.ଟି.ଏମ୍‌.ଟି ଡାକ୍ତରଙ୍କ ଦ୍ଵାରା ପାଉଛନ୍ତି ସ୍ବାସ୍ଥ୍ୟ ସେବା ।

ଏବେ ଶୀତଲହରୀ ବଢ଼ିଥିବା ବେଳେ ଏଠାରେ ଆଡମିସନ ହୋଇ ରହୁଥିବା ରୋଗୀଙ୍କର ହାଲ୍‌ ବେହାଲ୍‌ ହୋଇଯାଉଛି । ରୋଗୀଙ୍କ ରହିବା ପାଇଁ ଉଦ୍ଦିଷ୍ଟ କୋଠରୀରେ ନା କବାଟ ଅଛି ନା ଝରକା । ନବଜାତ ଶିଶୁଙ୍କୁ ନେଇ ମା’ ଓ ସେମାନଙ୍କ ପରିବାର ଲୋକେ ଥରି ଥରି ରାତିରେ ରହିବାକୁ ବାଧ୍ୟ ହେଉଛନ୍ତି ।

ସ୍ୱାସ୍ଥ୍ୟକେନ୍ଦ୍ରରେ 60 ଜଣ ରୋଗୀଙ୍କର ବ୍ୟବସ୍ଥା ଥିବାବେଳେ ଘୋର ଅବ୍ୟବସ୍ଥା ଯୋଗୁଁ ରୋଗଗ୍ରସ୍ତ ହୋଇଥିଲେ ବି ଏଠି ରହିବାକୁ ଚାହୁଁନାହାନ୍ତି ରୋଗୀ । ଏମିତିକି ଡାକ୍ତରଙ୍କ ଡ୍ୟୁଟି ରୁମ୍‌ର କବାଟ ମଧ୍ୟ ଠିକ୍‌ ନାହିଁ । ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବି ସଙ୍ଗୀନ । ଡାକ୍ତରଖାନାରେ ରହିଥିବା ନାନା ସମସ୍ୟାର ସମାଧାନ କରିବାକୁ ସ୍ଥାନୀୟ ଲୋକେ ବାରମ୍ବାର ଦାବି ହେଉଛି ।
ରିପୋର୍ଟ-ନୃସିଂହ ନାଥ ସ୍ବାଇଁ, ପୋଲସରା

Related Posts