ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା; ୧୫ରେ ହେବ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରର ଜାମିନ ଶୁଣାଣି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ସେପଟେ ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ସୂତ୍ରଧର ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ନିୟମିତ ଜାମିନ ଆବେଦନର ପରିଚାଳନା ପାଇଁ ନୂଆ ଆଇନଜୀବୀଙ୍କୁ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ପୁଞ୍ଜିଲାଲଙ୍କ ପକ୍ଷରୁ ଆଉ ମାମଲା ପରିଚାଳନା କରିବେ ନାହିଁ ବୋଲି ହାଇକୋର୍ଟଙ୍କୁ ଅବଗତ କରିଥିଲେ।

ଅନ୍ୟପକ୍ଷରେ ଆଇନଜୀବୀ ପରିବର୍ତ୍ତନ ପ୍ରସଂଗରେ ଜେଲରେ ଥିବା ପୁଞ୍ଜିଲାଲଙ୍କ ତରଫରୁ ଏକ ପ୍ରିଜନ୍‌ ପିଟିସନ୍ ହାଇକୋର୍ଟରେ ଦାଖଲ କରାଯାଇଥିଲା। ହାଇକୋର୍ଟ ଏହି ପ୍ରସଂଗକୁ ବିଚାରକୁ ନେଇ ହାଇକୋର୍ଟ ଆଇନସେବା କମିଟି ତରଫରୁ ଆଇନଜୀବୀ ବାସୁଦେବ ପୂଜାରୀ ପୁଞ୍ଜିଲାଲଙ୍କ ମାମଲା ପରିଚାଳନା କରିବେ ବୋଲି କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୫କୁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁଞ୍ଜିଲାଲଙ୍କ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts