ଅମରନାଥ ନିକଟରେ ବାଦଲ ଫଟା ବର୍ଷାରେ ୧୬ ମୃତ: ୪୮ ରୁ ଉର୍ଦ୍ଧ ଆହତ, ଅନେକ ନିଖୋଜ

ଭୁବନେଶ୍ବର ( ସତ୍ୟପାଠ ବ୍ୟୁରୋ ) : କଶ୍ମୀରର ଅମରନାଥ ଗୁମ୍ଫା ନିକଟରେ ଗତକାଲି ହୋଇଥିବା ବାଦଲଫଟା ବର୍ଷାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୬ ଜଣ ପ୍ରାଣ ହରାଇଛନ୍ତି ଓ ଅନେକ ନିଖୋଜ ଅଛନ୍ତି । ଏନଡିଆରଏଫ, ଏସଡିଆରଏଫ ଓ ଆଇଟିବିପିର ଯବାନ ଉଦ୍ଧାର କାମରେ ସାମିଲ ହୋଇଛନ୍ତି । ବାଦଲ ଫାଟିବା ପରେ ପାଣି ଅମରନାଥ ଗୁମ୍ଫା ନିକଟରେ ଥିବା ଟେଣ୍ଟକୁ ଧୋଇନେଇଥିଲା । ଏଥିରେ ଭକ୍ତମାନେ ଆଶ୍ରୟ ନେଇଥିଲେ । ଏହାପରେ ଅମରନାଥ ଦର୍ଶନରେ ଯାଇଥିବା ଭକ୍ତଙ୍କ ମଧ୍ୟରେ ହାହାକାର ସୃଷ୍ଟି ହୋଇଥିଲା । ବାଦଲ ଫଟା ବର୍ଷା ଯୋଗୁଁ ଅନେକ ଭାସିଯାଇଥିଲେ । ଅମରନାଥ ଦର୍ଶନ ଆରମ୍ଭ ହେବା ପରେ ପ୍ରାୟ ୮ରୁ ୧୦ ହଜାର ଲୋକ ଦର୍ଶନ ପାଇଁ ଯାଇଛନ୍ତି ।


ଅମରନାଥଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିବାବେଳେ ଏଭଳି ଦୁର୍ଘଟଣା ଘଟିଛି । ତେବେ ପାଗ ଖରାପ ଥିବାରୁ ଉଦ୍ଧାର କାମ ବାଧାପ୍ରାପ୍ତ ହେଉଛି। ଏହାଛଡା ସେଠାକାର ଭୌଗଳିକ ସ୍ଥିତି ଓ ଉଚ୍ଚତା ଯୋଗୁଁ ଉଦ୍ଧାରକାରୀ ଟିମ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହଠାତ ବାଦଲ ଫାଟିବା ଯୋଗୁଁ ପଣିର ପ୍ରକୋପ ବଢିଯାଇଥିଲା ଓ ଲୋକେ ଭାସିଯାଇଥିଲେ । ଏହି ଘଟଣା ପରେ ଅମରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଗୁମ୍ଫା ନିକଟରେ ଏବେ ବି ବର୍ଷା ହେଉଛି । ଆହତଙ୍କୁ ଏୟାରଲିଫଟ କରାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଉଦ୍ଧାର କାମରେ ହେଲିକପ୍ଟରର ସହାୟତା ନିଆଯାଉଛି ।

ପାଗ ଅନୁକୂଳ ହେଲେ ଯାତ୍ରା ପୁଣି ଆରମ୍ଭ ହେବ ବୋଲି ପ୍ରଶାସନ କହିଛି । ଗତ ମାସ ୩୦ ତାରିଖରୁ ହିଁ ୪୩ ଦିନିଆ ଅମରନାଥ ଯାତ୍ରା ଆରମ୍ଭ ହୋଇଥିଲା । ଶେଷ ଖବର ସୁଦ୍ଧା ପ୍ରାୟ ୭୦ ହଜାର ଲୋକ ବାବା ଅମରନାଥଙ୍କ ଦର୍ଶନ କରିସାରିଲେଣି । ୪୩ ଦିନ ଧରି ଚାଲିବାକୁ ଥିବା ଅମରନାଥ ଯାତ୍ରା ୧୧ ଅଗଷ୍ଟରେ ଶେଷ ହେବ । ସୂଚନା ଅନୁସାରେ, ଗୁମ୍ଫା ନିକଟରେ ୮୦ରୁ ୧୦୦ ଟେଂଟ ଥିଲା ବର୍ଷା ଫଳ ରେ ଅନେକ ଟେଣ୍ଟ ଭାସି ଯାଇଥିବା ସୂଚନା ମିଳିଛି । ଘଟଣା ନେଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ କରି ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ଓ ଆହତଙ୍କ ଶୀଘ୍ର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Related Posts