ରିଆଲିଟି ସୋ ଇଣ୍ଡିଆନ ଆଇଡଲ ସିଜିନ ୧୨ର ବିଜେତା ହେଲେ ପୱନଦୀପ ରାଜନ୍ ; ମିଳିଲା ୨୫ ଲକ୍ଷ ଟଙ୍କା ଓ କାର୍‌

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ସୋନି ଟିଭିରେ ପ୍ରସାରିତ ଦେଶର ଲୋକପ୍ରିୟ ସିଙ୍ଗିଙ୍ଗ ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲ ସିଜିନ୍-୧୨ର ବିଜୟୀ ମୁକୁଟ ପିନ୍ଧିଛନ୍ତି ଉତ୍ତରାଖଣ୍ଡର ପୱନଦୀପ ରାଜନ । ରବିବାର ଅନୁଷ୍ଠିତ ଗ୍ରାଣ୍ଡ୍ ଫିନାଲେରେ ପୱନଦୀପ ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି। ବିଜୟୀ ଟ୍ରଫି ସହିତ ତାଙ୍କୁ ପୁରସ୍କାର ବାବଦକୁ ୨୫ ଲକ୍ଷ ଟଙ୍କା ଓ ଏକ କାର୍‌ ମିଳିଛି। ୨୦୨୦ ନଭେମ୍ବର ୨୮ ରେ ୧୫ଜଣ କଣ୍ଠଶିଳ୍ପୀଙ୍କୁ ନେଇ ଆରମ୍ଭ ହୋଇଥିବା ଇଣ୍ଡିଆନ୍ ଆଇଡଲ ସିଜିନ୍ -୧୨ ସ୍ବାଧୀନତା ଦିବସ ଅର୍ଥାତ୍ ଅଗଷ୍ଟ -୧୫ରେ ଶେ‌ଷ ହୋଇଛି।

ଏହି ସୋ’ରେ ଅରୁଣିତା କାଞ୍ଜିଲାଲ୍ ଓ ସାୟଲି କମ୍ବଲେ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ରନର୍ସ-ଅପ୍ ହୋଇ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ କରିଛନ୍ତି। ଏହି ଶୋ’ର ଗ୍ରାଣ୍ଡ ଫିନାଲେରେ ଅନୁ ମଲ୍ଲିକ, ସୋନୁ କକ୍କଡ, ହିମେଶ ରେଶମିୟା, ଉଦିତ ନାରାୟଣ, ଅଲକା ୟାଗ୍ନିକ, କୁମାର ସାନୁ, ବିଶାଲ ଦଦଲାନି, ମିକା ସିଂ, ଭାରତୀ ସିଂ, ସିଦ୍ଧାର୍ଥ ମଲହୋତ୍ରା  ଓ କିୟାରା ଆଡଭାନୀ ପ୍ରମୁଖ ଉପସ୍ଥିତ ଥିଲେ।

ବିଜୟୀ ହେବା ପରେ କଣ କହିଲେ ପୱାନଦୀପ ? 

ସିଙ୍ଗିଙ୍ଗ ରିଆଲିଟି ସୋ’ ଜିତିବା ପରେ ପୱାନଦୀପ କହିଛନ୍ତି, “ଇଣ୍ଡିଆନ୍ ଆଇଡଲ୍ ସିଜନ ୧୨ର ଟାଇଟଲ୍ ଜିତିବା ମୋ ପାଇଁ ଅବିଶ୍ୱସନୀୟ । ମତେ ଲାଗୁଛି ସତେ ଯେପରି ମୁଁ ସ୍ୱପ୍ନ ଦେଖୁଛି ଏବଂ ବିଜୟ ବାସ୍ତବତା ନୁହେଁ । ଏହା ମୋ ପାଇଁ ଏକ ବଡ଼ ସମ୍ମାନ । ମୋର ସମସ୍ତ ପ୍ରଶଂସକ ଏବଂ ଦର୍ଶକଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହେଁ, ଯେଉଁମାନେ ମୋତେ ଭୋଟ୍ ଦେଇଛନ୍ତି ଏବଂ ମୋତେ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଜିତାଇଛନ୍ତି । ଏ ଟ୍ରଫି ମୋର ନୁହେଁ,  ନିର୍ମାତାଙ୍କ ଠାରୁ ଆରମ୍ଭ କରି ଆମର ବିଚାରକ,ପ୍ରଶିକ୍ଷକ ଏବଂ ମୋର ସାଥୀ ପ୍ରତିଯୋଗୀ, ଏହା ସମସ୍ତଙ୍କର । ଏହି ବିଜୟ ମୋ ଜୀବନର ଅନୁଭବ ସର୍ବୋତ୍ତମ ।’’

ପୱନଦୀପ କିଏ  ?

ପୱନଦୀପ ରାଜନ୍ ହେଉଛନ୍ତି ଉତ୍ତରାଖଣ୍ଡର ବଣପାହାଡ଼ ଘେରା ଚମ୍ପାୱତ୍ ଜିଲ୍ଲାର ବାସିନ୍ଦା । କଣ୍ଠଶିଳ୍ପୀ ହେବାର ଲକ୍ଷ୍ୟ ରଖିଥିବା ରାଜନ୍ ଜଣେ ଭଲ ବାଦ୍ୟଯନ୍ତ୍ର ଶିଳ୍ପୀ । ସେ ଗିଟାର୍, ତବଲା, ଢ଼ୋଲକ୍, ଡ୍ରମସ୍ ଓ ପିଆନୋ ଦକ୍ଷତାର ସହ ବଜାଇ ପାରନ୍ତି। ଏହା ପୂର୍ବରୁ ୨୦୧୫ରେ ସେ ମ୍ୟୁଜିକ ରିୟଲିଟି ସୋ’ ‘‘ଦ ଭଏସ୍ ଅଫ୍ ଇଣ୍ଡିଆ’ ରେ ମଧ୍ୟ ବିଜେତା ହୋଇଥିଲେ ।

ଏହି ପ୍ରତିଯୋଗୀତାରେ ପବନଦୀପଙ୍କୁ କଡ଼ା ଟକ୍କର ଦେଉଥିବା ଅରୁଣିତା କାଞ୍ଜିଲାଲ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ସାୟଲି କାମ୍ବଲି ତୃତୀୟ ସ୍ଥାନରେ ରହିଥିଲେ। ସେହିଭଳି ମୋହମ୍ମଦ ଦାନିଶ ଚତୁର୍ଥ ଓ ନିହାଲ ପଞ୍ଚମ ସ୍ଥାନରେ ରହିଥିବା ବେଳେ ସବୁଠୁ କମ୍ ଭୋଟ୍ ପାଇ ଶନମୁଖପ୍ରିୟା ଷଷ୍ଠ ସ୍ଥାନରେ ରହିଥିଲେ।

Related Posts