ପ୍ରମାଣ ପାଇ ବିଡିଓ ନୀରବ କାହିଁକି ?

ସତ୍ୟପାଠ ବ୍ୟୁରୋ : ପ୍ରଥମେ ବିଲ କରାଇଦେବେ କହି ପିସି ମାଗିଲେ । ଠିକାଦାର ବି ପିସି ଦେଲେ କିନ୍ତୁ ବାବୁ ବିଲ୍ କଲେନି । ଆଜି କାଲି କହି ଦିନ ଗଡାଇ ଚାଲିଲେ । ନିରାଶ ହୋଇ ବିଧାୟକଙ୍କ ଜନଶୁଣାଣୀରେ ଗୁହାରୀ ଜଣାଇଲେ ଠିକାଦାର । କେହି କିଛି ନିଷ୍ପତି ନେବା ଆଗରୁ ସମସ୍ତଙ୍କ ସାମ୍ନାରେ ଠିକାଦାରଙ୍କୁ ପିସି ଟଙ୍କା ଫେରାଇଲେ ସରକାରୀ ବାବୁ ଜଣକ । ସମସ୍ତଙ୍କ ପାଇଁ ଏଇଠି ସରିଗଲା ମାମଲା, କିନ୍ତୁ ମାମଲା ଯେ, ଏଇଠୁ ଆରମ୍ଭ ହେବା କଥା ତାହା ଉପସ୍ଥିତ ଜନପ୍ରତିନିଧି ଓ ସରକାରୀ ବାବୁ ମାନେ ଭୁଲିଗଲେ । ମୋଟାମୋଟି କହିବାକୁ ଗଲେ ଏ ଘଟଣାକୁ ହାଲୁକା ଭାବେ ନେଇ ଚୁପ ବସିଗଲେ ସଭିଏଁ ।

ଡେଲାଙ୍ଗ ବ୍ଲକ ସୁଜନପୁରରେ ରାଜୀବ ସେବା କେନ୍ଦ୍ର ନିର୍ମାଣରେ ନିୟୋଜିତ ଶ୍ରମିକଙ୍କ ମଜୁରୀ ବାବଦ ଟଙ୍କା ଦେଉନି ବ୍ଲକ ପ୍ରଶାସନ । ୨୦୧୧-୧୨ରୁ ଏହି କାମ ହୋଇଥିଲେ ବି କାମ କରିଥିବା ଠିକାଦାର ବିପିନ ନରେନ୍ଦ୍ରଙ୍କୁ ଏଯାଏଁ ତାଙ୍କ ପ୍ରାପ୍ୟ ମିଳିନି । ସହକାରୀ ଯନ୍ତ୍ରୀ ଅଜୟ ପ୍ରଧାନ ଏହି ବିଲ୍ କରାଇଦେବାକୁ ୮ହଜାର ଟଙ୍କା ପିସି ନେଇଥିବା ବେଳେ ବିଲ କରାଇବା ବଦଳରେ ସହଯୋଗ କରୁନଥିବା ଗୁରୁତର ଅଭିଯୋଗ କରିଛନ୍ତି ବିପିନ । ଏନେଇ ବାରମ୍ବାର ବିପିନ ବ୍ଲକକୁ ଦୌଡୁଥିବା ବେଳେ ବିଧାୟକ ପ୍ରଦୀପ ମହାରଥୀଙ୍କ ଜନଶୁଣାଣୀରେ ଏହି ପ୍ରସଙ୍ଗ ଉଠାଇ ନ୍ୟାୟ ମାଗିଥିଲେ । କେହି କିଛି କହିବା ପୂର୍ବରୁ ଉପସ୍ଥିତ ସହକାରୀ ଯନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ସମସ୍ତଙ୍କ ସାମ୍ନାରେ ଠିକାଦାରଙ୍କୁ ୮ହଜାର ଟଙ୍କା ଫେରାଇ ଥିଲେ । ଠିକାଦାର କିନ୍ତୁ ସେହି ଟଙ୍କା ଗ୍ରହଣ ନକରି ବକେୟା ବିଲ ଓ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ପିସିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସବୁଠୁ ବଡକଥା ହେଉଛି, ଭୁବନେଶ୍ୱର ଉପକଣ୍ଠ ଡେଲାଙ୍ଗ ବ୍ଲକରେ ପିସି କାରବାରର ଲାଇଭ ଚିତ୍ର ସମସ୍ତେ ଦେଖିଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେଠାରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ, ଡେଲାଙ୍ଗ ବିଡିଓ କ୍ଷୀରୋଦ ପ୍ରଧାନ ଓ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଉପସ୍ଥିତ ଥିଲେ । ଜନ ଶୁଣାଣୀକୁ ଆସିଥିବା ସାଧାରଣ ଲୋକେ ଓ ଗଣମାଧ୍ୟମ ପ୍ରତିନିଧୀମାନେ ବି ଥିଲେ  । ସମସ୍ତଙ୍କ ସାମ୍ନାରେ ଜଣେ ସରକାରୀ ଅଧିକାରୀ ନେଇଥିବା ପିସି ଟଙ୍କା ଫେରାଉଥିବା ବେଳେ ସମସ୍ତଙ୍କ ମୁହଁରେ ଥିଲା ଅହେତୁକ ନିରବତା ।

ଏବେ ପ୍ରଶ୍ନ ଉଠିଛି, ଦୀର୍ଘ ୭ବର୍ଷ ଧରି ଠିକାଦାରଙ୍କୁ ତାଙ୍କ ପ୍ରାପ୍ୟ ମିଳୁନାହିଁ କାହିଁକି ? ଯଦି ସହକାରୀ ଯନ୍ତ୍ରୀ ଜଣକ ପିସି ନେଇ ନଥିଲେ ତେବେ ଫେରାଇଲେ କାହିଁକି ? ଉପସ୍ଥିତ ଉପରିସ୍ଥ ଅଧିକାରୀ ତୁରନ୍ତ ଏ ଦିଗରେ ପଦକ୍ଷେପ ନନେଇ ଚୁପ ରହିବାର କାରଣ କଣ ? ସଂପୃକ୍ତ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ପିସି ନେବା ଅଭିଯୋଗରେ ଜବାବ ତଲବ କାହିଁକି କରାଯାଇନି ? ଜନଶୁଣାଣୀରେ ବିଧାୟକ ଓ ବିଡିଓଙ୍କ ସାମ୍ନାରେ ଠିକାଦାର ଅଭିଯୋଗ କରିବା ଓ ସରକାରୀ ବାବୁ ଟଙ୍କା ଫେରାଇବାକୁ ଦେଖିଲେ ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ କେହି କେମିତି ସୁପାରିଶ କରି ନାହାଁନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଆମ ତରଫରୁ ଏନେଇ ସହକାରୀ ଯନ୍ତ୍ରୀ ଅଜୟ ପ୍ରଧାନଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ କରାଯାଇଥିବା ବେଳେ ତାହା ସୁଇଚ୍ ଅଫ୍ ଥିଲା । ତେଣୁ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନି ।

Related Posts