ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ରହୁଥିବା ସରକାରୀ ବଙ୍ଗଳାକୁ ଖାଲି କରିଛନ୍ତି । ଶ୍ରୀନଗରର ଡାଲ ହ୍ରଦ ନିକଟ ଗୁପକାର ରୋଡ୍‌ରେ ଥିବା ଏହି ବଙ୍ଗଳା ଖାଲି କରି ସେ ନିଜର ବ୍ୟକ୍ତିଗତ ଘରକୁ ସ୍ଥାନାନ୍ତର ହୋଇଯାଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ପିଡିପି ମୁଖପାତ୍ର ନଜମ ୟୁଏସ୍‌ ସାକିବ । ସେ କହିଛନ୍ତି ଯେ, ମେହବୁବା ବର୍ତ୍ତମାନ ନିଜ ସରକାରୀ ବଙ୍ଗଳା ଛାଡ଼ି ଶ୍ରୀନଗର ବାହାର ଖିମ୍ବର ଅଞ୍ଚଳରେ ଥିବା ତାଙ୍କ ନିଜ ଘରକୁ ଚାଲି ଯାଇଛନ୍ତି ।

ସୂଚନାଯୋଗ୍ୟ ଯେ, ମେହବୁବା ମୁଫତିଙ୍କୁ ସରକାରୀ ବଙ୍ଗଳା ଖାଲି କରିବା ପାଇଁ ରାଜ୍ୟ ଇଷ୍ଟେଟ ବିଭାଗ ପକ୍ଷରୁ ଗତ ଅକ୍ଟୋବର ୧୫ରେ ନୋଟିସ ଦିଆଯାଇଥିଲା । ସେଥିରେ କୁହାଯାଇଥିଲା ଯେ, ଯଦି ମେହବୁବା ଚାହିଁବେ ତେବେ ପ୍ରଶାସନ ପକ୍ଷରୁ ତାଙ୍କୁ ବିକଳ୍ପ ଘର ଯୋଗାଇ ଦିଆଯିବ । ମାତ୍ର ମେହବୁବା ବିପଳ୍ପ ଘର ନେବାକୁ ଚାହିଁ ନଥିଲେ । ଗତ ୨୦୦୫ରୁ ମେହବୁବା ଏହି ବଙ୍ଗଳାରେ ରହିଆସୁଥିବା ବେଳେ ଏବେ ସେ ଏହି ବଙ୍ଗଳାକୁ ଛାଡିଛନ୍ତି । ସେହିଭଳି ତାଙ୍କ ଦଳର କିଛି ପୂର୍ବତନ ବିଧାୟକଙ୍କୁ ମଧ୍ୟ ସରକାରୀ ଘର ଖାଲି କରିବାକୁ ନୋଟିସ ଦିଆଯାଇଛି ।