ଭୂତଙ୍କ ରାଜା !

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଯୋଗାଣ ବିଭାଗର ହିତାଧିକାରୀଙ୍କ ତାଲିକାରେ ଏବେ ମାଳମାଳ ଭୂତ। କେବଳ ସରକାର, ନବୀନ ବାବୁ ଏବଂ ତାଙ୍କର ଉଧାରୀ ପ୍ରବକ୍ତା ବଗଚୀ ବାବୁ ଗଳା ଫଟେଇ ପ୍ରଚାର କରିଚାଲିଛନ୍ତି ଯେ ଜଣେ ବି ଗରିବ ଖାଦ୍ୟ ଯୋଗଣରୁ ବଂଚିତ ହେବ ନାହିଁ। ସବୁ କିଛି ସୁରୁଖୁରୁରେ ଚାଲିଛି, କିଛି ବି ହେରଫେର ନାହିଁ। କୋରୋନା ମହାମରୀ ବେଳେ ସରକାର ସବୁଠୁ ଅଧିକ ଗରିବ ଲୋକଙ୍କ କଥା ଚିନ୍ତା କରୁଛନ୍ତି। ଠିକ ଏତିକି ବେଳେ ଚାଉଳ ଦୁର୍ନୀତି କଥା ପଦାକୁ ଆସିଛି। ଚାରିଆଡୁ ଅର୍ଥାତ ସବୁ ଜିଲ୍ଲାରୁ ଏଭଳି ଖବର ସାମ୍ନାକୁ ଆସୁଛି। ଏହାର ଖୋଳତାଡ଼ ହେଲେ ସବୁ ସତ୍ୟ ପଦାକୁ ଆସିଯିବ

ଗୁରୁତ୍ୱପୂର୍ଣ୍ଣ କଥା ହେଲା ମେ 2019ରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓରଫ (ରାଜା ଭାଇ) ଯୋଗାଣ ବିଭାଗର ମନ୍ତ୍ରୀ। ଏପର୍ଯ୍ୟନ୍ତ ଭୂତଙ୍କର ମନ୍ତ୍ରୀ ଭାବେ ରାଜା ବାବୁ ଥିଲେ, ଏବେ ବଲାଙ୍ଗିରର ଭୂତ ହିତାଧିକାରୀ ଘଟଣା ଜଣାପଡିବା ପରେ ତାହାକୁ ସ୍ୱୀକାର କଲେ ଆଉ ତଳିଆ ଅଧିକାରୀଙ୍କୁ ନିଲମ୍ବନ କଲେ। ରାଜା ବାବୁଙ୍କର ଚାରି ଧାଡ଼ିଆ ନିଲମ୍ବନ ଟ୍ୱିଟ ପରେ ଉଠିଛି ଅନେକ ପ୍ରଶ୍ନ।

ରାଜା ବାବୁ ଏଯାଏ କରୁଥିଲେ କଣ ?
ଆହୁରି ଏହିଭଳି ରାଜ୍ୟରେ କେତେ ଭୂତ ଅଛନ୍ତି ?
ମୋଟ ଭୂତଙ୍କ ସଂଖ୍ୟା କେତେ ?
ଅସଲି ହିତାଧିକାରୀଙ୍କ ସଂଖ୍ୟା ଅଧିକ ନା ଭୂତ ହିତାଧିକାରୀଙ୍କ ସଂଖ୍ୟା ଅଧିକ ?
ନୈତିକତାର ଉତ୍ତରଦାୟୀତ୍ୱ ନେବା ପରିବର୍ତ୍ତେ ରାଜା ବାବୁ ତଳିଆ ଅଧିକାରଙ୍କ ଆଡ଼କୁ ଦୋଷ ଠେଲି ଦେଇକି ବର୍ତ୍ତମାନ ନିଜେ ପରମ ଯୋଦ୍ଧା ସାଜିଛନ୍ତି।

ଉତ୍ତରଦାୟୀତ୍ଵ ନେବ କିଏ ?

ଗୋଟିଏ ପଟେ ଖାଦ୍ୟ ସୁରକ୍ଷା ଯୋଜନାରୁ ଜଣେ ବି ପ୍ରକୃତ ହିତାଧିକାରୀ ବାଦ୍ ପଡିବେ ନାହିଁ ବୋଲି ସରକାର କହୁଥିବା ବେଳେ ବଲାଙ୍ଗିରର ଭୂତ ହିତାଧିକାରୀ ଘଟଣା ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି । କୋରୋନା ମହାମାରୀରେ ଏଭଳି ଚିତ୍ର ପଦାକୁ ଆସିଛି। ଆଉ ଏହାକୁ ଖୋଦ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିଜ ଟୁଇଟ୍ ମାଧ୍ୟମରେ ସ୍ୱୀକାର କରିଛନ୍ତି।

ତଦନ୍ତରେ ବି ଘୋଟାଲା
ଯୋଜନା ପାଇଁ ଅନୁଦାନ ଆଉ ଏହାରି ଅଳରେ କୋଟି କୋଟି ଟଙ୍କାର ହରିଲୁଟ। ସବୁଠୁ ସାଙ୍ଘାତିକ କଥା ହେଲା ଅଭିଯୋଗ ପରେ ଯେଉଁ ତଦନ୍ତ ହେଉଛି ସେଥିରେ ବି ଦୁର୍ନୀତି କରାଯାଉଛି। ବଲାଙ୍ଗିର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଥିବା ଚାଉଳ କେଳେଙ୍କାରୀରେ ଏଭଳି ଚିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ତଳିଆଙ୍କୁ ବଳି ପକାଇ ବଡ଼ବଡ଼ିଆଙ୍କୁ ମାଫ କରିଦିଆଯାଇଛି। ଏପରିକି ପ୍ରାୟ ୫୦ ଲକ୍ଷ ଟଙ୍କାର ଚାଉଳ ହରିଲୁଟ ହୋଇଥିବା ସରପଞ୍ଚ ଓ ହିତାଧିକାରୀ କହୁଥିବା ବେଳେ ତଦନ୍ତକାରୀ ଟିମ୍‌କୁ ମିଳିଛି ମାତ୍ର ୩ ଲକ୍ଷ ଟଙ୍କାର ପ୍ରମାଣ।
ବଲାଙ୍ଗିର ଜିଲ୍ଲା ମହୀମୁଣ୍ଡା ପଞ୍ଚାୟତରେ ଚାଉଳ ଖାଉଥିଲା ଭୂତ। ଖାଲି ସେତିକି ନୁହେଁ, ଅନ୍ତୋଦୟ ଯୋଜନାରେ ସାମିଲ ଅସହାୟ ଗରିବଙ୍କ ଚାଉଳ ବି ହରିଲୁଟ ହେଉଥିଲା। ପୋର୍ଟାଲରେ ନାଁ ଥିବା ହିତାଧିକାରୀଙ୍କୁ ରାସନକାର୍ଡ ଦିଆନଯାଇ ତାଙ୍କ ନାଁରେ ଉଠାଯାଉଥିଲା ଚାଉଳ। ଏବେ ଲକ୍‌ଡାଉନ୍‌ ସମୟରେ ସରକାରୀ ସହାୟତା ଏକ ହଜାର ଟଙ୍କା ଲେଖାଏଁ ବଣ୍ଟା ହେବା ପରେ ଧରାପଡ଼ିଛି ସବୁ ମିଛ।

ଗତ ୧୦ ତାରିଖରେ ବଲାଙ୍ଗିର ଜିଲ୍ଲା ତୁରୁକେଲା ବ୍ଲକ କୁରୁଆଁମୁଣ୍ଡା ଗାଁରେ ଭୂତ ହିତାଧିକାରୀ ଖବର ପଦାକୁ ଆସିଥିଲା। ଦାଦନ ପ୍ରବଣ ଜିଲ୍ଲାରେ ଅନେକ ହିତାଧିକାରୀଙ୍କ ନାଁରେ ଚାଉଳ, କିରୋସିନ୍, ଗହମ ହରିଲୁଟ୍ କରାଯାଉଛି । ଅଭିଯୋଗ ପାଇବା ପରେ ପୁଇଁନ୍ତଳା ଯୋଗାଣ ସହାୟକ, ପଞ୍ଚାୟତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଦେଇ ମନ୍ତ୍ରୀ ଚୁପ ବସିଛନ୍ତି ।

ଏଠାରେ ପ୍ରଶ୍ନ ଉଠୁଛି ବର୍ଷେ ହେଲା ମନ୍ତ୍ରୀ କରୁଛନ୍ତି କ’ଣ ?
ଭୂତଙ୍କ ସର୍ଦ୍ଦାର ସାଜିଥିବା ବିଭାଗୀୟ ମନ୍ତ୍ରୀ ଏହାର ଉତ୍ତରଦାୟୀତ୍ଵ ନିଜ ମୁଣ୍ଡକୁ ନେବେ କି ?
କୋରୋନା ସରକାରଙ୍କ ମୁଖା ଖୋଲି ଦେଇଛି । କେଉଁଠି ତିନି ମାସର ଦେଇ ତିନି ମାସର ଖାଇ ଯାଉଛନ୍ତି ତ ପୁଣି କେଉଁଠି ସମ୍ପର୍କୀୟଙ୍କ ମାଧ୍ୟମରେ ରାସନ ହଡ଼ପ କରାଯାଉଛି । ଚାଉଳ ପରେ ଏବେ ନଜରକୁ ଆସିଛି କିରୋସିନ୍ କେଳଙ୍କାରୀ । ସ୍ବୟଂ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ କିରୋସିନ୍ ଲିଟର ପିଛା ୪୦ ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ ଆସିଛି । ବାବୁ-ନେତା-ଡିଲରଙ୍କ ଏ ମଧୁ ଚନ୍ଦ୍ରିକା ଏବେ ସାରା ରାଜ୍ୟରେ ବ୍ୟାପୀ ଯାଇଛି ।

କରୋନା ଆଳରେ ଏହି ଦୁର୍ନୀତି ଏବେ ସବୁ ଜିଲ୍ଲାରେ ଦେଖିବାକୁ ମିଳିଛି । କଟକ ଜିଲ୍ଲା ମାହାଙ୍ଗାରେ ମଧ୍ୟ ସମାନ ସ୍ଥିତି । ଜିଲ୍ଲାର ବିଭିନ୍ନ ସ୍ଥାନରେ କିରୋସିନର ମୂଲ୍ୟ ଭିନ୍ନ ଭିନ୍ନ ପ୍ରକାରର । ଯାହାକୁ ଦେଖିଲେ ଲାଗୁଛି ସରକାରୀ ବ୍ୟବସ୍ଥାରେ ଏକ ପ୍ରକାରର ଭୂତ ସବାର ହୋଇଛି। ସେପଟେ ନବୀନ ବାବୁ ଲୋକପ୍ରତିନିଧିଙ୍କୁ ପୁରା ସାଇଡ୍ ମାରି ଦେଇଛନ୍ତି । ରାଜ୍ୟରେ ମନ୍ତ୍ରୀ ବିଧାୟକ ଅଛନ୍ତି କି ନାହିଁ ତାହା ବୁଝା ପଡୁନାହିଁ। ୟା ଭିତରେ ବି ମାନ୍ୟବରଙ୍କର ଏକ ପେଞ୍ଚ ରହିଛି। ତାହା ହେଲା ସରକାରୀ ବାବୁଙ୍କୁ ଦାୟିତ୍ୱ ଦେଲେ ହିସାବ ବରାବର ହେବ, କୈଫତ ଦେବାର ଆବଶ୍ୟକ ପଡିବ ନାହିଁ, ତୃଟି ଦେଖିଲେ ସଙ୍ଗେସଙ୍ଗେ କାର୍ଯ୍ୟାନୁଷ୍ଠାନ ବି ନେଇହେବ।  କିନ୍ତୁ ମନ୍ତ୍ରୀ ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଲେ ଦଳର ଭାବମୂର୍ତ୍ତୀ ନଷ୍ଟ ହେବ । ସବୁଠାରୁ ଭଲ ଏମାନଙ୍କୁ ସଖି କଣ୍ଢେଇ କରି ବସେଇ ଦେବା । ଅସନ୍ତୋଷ ପଦାକୁ ଆସିଲାଣି, ସ୍ବୟଂ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ ସରକାରୀ ଅଧିକାରୀଙ୍କ ଉପରେ ଲୋକ ପ୍ରତିନିଧିଙ୍କ ଅସନ୍ତୋଷ ଦେଖିବାକୁ ମିଳିଲାଣି । ଆଗକୁ ଏହି ଅସନ୍ତୋଷ ମାନ୍ୟବାରଙ୍କ ପାଇଁ କୋରୋନା ଲଢ଼େଇଠୁ ବି ଅଧିକ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।

Related Posts