ପେଗାସସ୍ ଫୋନ୍ ଟ୍ୟାପିଂ ମାମଲା, କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ କଡା ଭର୍ତ୍ସନା, କହିଲେ – ” ଦେଶଦ୍ରୋହ କାମ କରିଛନ୍ତି ମୋଦି-ଶାହ”

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :   ଇସ୍ରାଏଲର ସାଇବର ସୁରକ୍ଷା କମ୍ପାନୀ NSO ଦ୍ବାରା ବିକଶିତ ପେଗାସସ୍ ସ୍ପାଏୱେୟାରକୁ ନେଇ ଏବେ ଭାରତରେ ବହୁତ ଚର୍ଚ୍ଚା ହେଉଛି। ଭାରତର ଅନେକ ସାମ୍ବାଦିକ ଏବଂ ପ୍ରତିଷ୍ଠିତ ଲୋକଙ୍କ ଫୋନ ଟ୍ୟାପିଂ ହୋଇଥିବା ଅଭିଯୋଗ ଆସିବା ପରେ ଏବେ ବିରୋଧୀ ମୋଦୀ ସରକାରଙ୍କ ଉପରେ ଜୋରଦାର ହମଲା କରୁଛନ୍ତି । 

ବର୍ତ୍ତମାନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି।  ସଂସଦ ଗୃହ ନିକଟ ବିଜୟ ଚକ୍ ଠାରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ପେଗାସସ୍ ହେଉଛି ଏକ ଅସ୍ତ୍ର ଯାହା ଆତଙ୍କବାଦୀ ଏବଂ ଅପରାଧୀଙ୍କ ବିରୋଧରେ ବ୍ୟବହୃତ ହୁଏ।  ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଏହି ଅସ୍ତ୍ରକୁ ହିନ୍ଦୁସ୍ତାନର ସଂସ୍ଥା ଓ ଲୋକତନ୍ତ୍ର ବିରୋଧରେ ପ୍ରୟୋଗ କରିଛନ୍ତି ।  

ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ତାଙ୍କ ଫୋନ୍ ମଧ୍ୟ ଟ୍ୟାପ୍ କରାଯାଇଛି । ସେ କହିଛନ୍ତି ଏହା କେବଳ ମୋ ମାମଲା ନୁହେଁ ବରଂ ଜନତାଙ୍କ ସ୍ୱର ଉପରେ ଆକ୍ରମଣ । ସେ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଚାର ବିଭାଗୀୟ ତଦନ୍ତ ହେଉ ବୋଲି କହିଛନ୍ତି । 

ସୁପ୍ରିମକୋର୍ଟ ଓ ରାଫେଲ ମାମଲାର ଯାଞ୍ଚକୁ ରୋକିବାକୁ ପେଗାସସର ପ୍ରୟୋଗ କରାଯାଇଛି । ତେଣୁ ସ୍ୱରାଷ୍ଟ୍ରମନ୍ତ୍ରୀ ଇସ୍ତଫା ଦେବା ଦରକାର ଓ ପ୍ରଧାନମନ୍ତ୍ରୀଙ୍କ ଉପରେ ବିଚାର ବିଭାଗୀୟ ଯାଞ୍ଚ ହେବା ଜରୁରୀ । କାରଣ ଏମାନେ ହିଁ ଏହାର ଅଥରାଇଜେଶନ ଦେଇପାରିବେ ବୋଲି ରାହୁଲ କହିଛନ୍ତି। 

ସେ କହିଛନ୍ତି, ” ମୋ ଫୋନକୁ ଟ୍ୟାପ୍ କରାଗଲା ।  ଏହା ମୋର ଗୋପନୀୟତାର ବିଷୟ ନୁହେଁ । ମୁଁ ବିରୋଧୀ ଦଳର ନେତା ଏବଂ ମୁଁ ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରୁଛି।  ଏହା ଲୋକଙ୍କ ସ୍ୱର ଉପରେ ଆକ୍ରମଣ।  ନରେନ୍ଦ୍ର ମୋଦୀ ଏହି ଅସ୍ତ୍ରକୁ ଆମ ଦେଶ ବିରୁଦ୍ଧରେ ବ୍ୟବହାର କରିଥିଲେ।  ଏହାର ଏକମାତ୍ର ଶବ୍ଦ ହେଉଛି ‘ଦେଶଦ୍ରୋହ’ ।

 ଏହି ପେଗାସସ ପ୍ରସଙ୍ଗରେ ୨୦୧୯ରେ ଉଠିଥିଲା। ସେତେବେଳେ ସରକାର ପେଗାସସ୍ ସଫ୍ଟୱୟାର ଜରିଆରେ ହ୍ୱାଟସଆପରୁ ଡାଟା ଚୋରି କରୁଥିବା ଅଭିଯୋଗ ହୋଇଥିଲା। ହେଲେ ସରକାର ଏପରି ଅଭିଯୋଗକୁ ଅସ୍ୱୀକାର କରିଥିଲେ। ଏବେ ପୁଣି ସମାନ ପେଗାସସ ପ୍ରସଙ୍ଗ ଉଠିବା ପରେ ସରକାର ପ୍ରସଙ୍ଗର ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। 

 ଏହି ସ୍ପାଇୱୟାର ପ୍ରସ୍ତୁତ କରିଥିବା ଇସ୍ରାଏଲ୍ ସାଇବର ସୁରକ୍ଷା କମ୍ପାନୀ NSO ସ୍ପଷ୍ଟ କରିଛି ଯେ ଏହାର ସଫ୍ଟୱେର୍ କାହାର ଫୋନରେ ତଥ୍ୟ ଶୁଣିବା, ମନିଟରିଂ, ଟ୍ରାକ୍ ଏବଂ ସଂଗ୍ରହ କରିବା ପାଇଁ ବ୍ୟବହୃତ ହୁଏ ନାହିଁ। କଂପାନୀର ସୂଚନା ଅନୁଯାୟୀ, ପେଗାସସ୍ ସଫ୍ଟୱେର୍ ମନୋନୀତ ଦେଶର ଆଇନଗତ ଏଜେନ୍ସିମାନଙ୍କୁ ଦିଆଯାଏ ଯାହାର ଉଦ୍ଦେଶ୍ୟ କାହାର ଜୀବନ ରକ୍ଷା କରିବା ଏବଂ ଦେଶକୁ ସୁରକ୍ଷା ଦେବା।

Related Posts