“ପ୍ରଶାନ୍ତ କିଶୋରଙ୍କ ସହ ମୋ ବୈଠକର ଜାସୁସି କରିଛନ୍ତି ମୋଦୀ ସରକାର ” : ମମତା ବାନାର୍ଜୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :   ପେଗାସସ୍ ଜାସୁସି ମାମଲାରେ ବିରୋଧୀ ମୋଦୀ ସରକାରଙ୍କୁ ଲଗାତାର ଆକ୍ରମଣ କରୁଛନ୍ତି। ସାଂସଦ ଠାରୁ ସଡକ ପର୍ଯ୍ୟନ୍ତ ସବୁଠି ବିରୋଧୀ ଏହି ପ୍ରସଙ୍ଗରେ କେନ୍ଦ୍ରକୁ ଜୋରଦାର ସମାଲୋଚନା କରିଛନ୍ତି। ସେପଟେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ ଅଭିଯୋଗ କରିଛନ୍ତି।  ସେ କହିଛନ୍ତି ଯେ ତାଙ୍କ ଫୋନ୍ ଟ୍ୟାପ୍ କରାଯାଉଥିବାରୁ ସେ ଶରଦ ପାୱାର କିମ୍ବା ଅନ୍ୟ କୌଣସି ବିରୋଧୀ ଦଳର ନେତାଙ୍କ ସହ କଥାବାର୍ତ୍ତା କରିପାରିବେ ନାହିଁ।

 ବୁଧବାର ଦିନ ସେ ଦାବି କରିଛନ୍ତି ଯେ ,” ପ୍ରଶାନ୍ତ କିଶୋରଙ୍କ ଫୋନ୍ ଟ୍ୟାପ୍ ହୋଇଛି ଏବଂ ମୁଁ ତାଙ୍କ ସହ କଥାବାର୍ତ୍ତା କରୁଛି ତେଣୁ ମୋର କଥାବାର୍ତ୍ତା ରେକର୍ଡ ହେବ।  ମୋ ଫୋନ୍ ମଧ୍ୟ ଟ୍ୟାପ୍ ହୋଇଛି । ତେଣୁ ମୁଁ କାହା ସହିତ କଥାବାର୍ତ୍ତା କରିପାରିବି ନାହିଁ। ” କୋଲକାତାରେ ଆୟୋଜିତ ଶହୀଦ ଦିବସ କାର୍ଯ୍ୟକ୍ରମରେ ସେ ଏହି କଥା କହିଛନ୍ତି। ସେ ଆହୁରି ମଧ୍ୟ ଖୁଲାସା କରିଛନ୍ତି ଯେ ନିର୍ବାଚନ ରଣନୀତିଜ୍ଞ ପି.କେଙ୍କ ସହ ତାଙ୍କର ପ୍ରତ୍ୟେକ ବୈଠକ ଉପରେ ସରକାର ନଜର ରଖିଛନ୍ତି।

  ଦିଦି କହିଛନ୍ତି, “ କିଛି ଦିନ ପୂର୍ବରୁ ମୁଁ ପି.କେ ଏବଂ ଅନ୍ୟମାନଙ୍କ ସହ ଏକ ବୈଠକରେ ଥିଲି।  ସରକାର ସେହି ବୈଠକରେ ଗୁଇନ୍ଦାଗିରି କରିଥିଲେ।  ପ୍ରଶାନ୍ତ କିଶୋର ତାଙ୍କ ଫୋନର ଅଡିଟ୍ କରି ଜାଣିବାକୁ ପାଇଲେ ଯେ ଆମର ଗୋଟିଏ ବୈଠକ ବିଷୟରେ ସରକାରଙ୍କୁ ଜଣାଥିଲା। ପେଗାସସ୍ ସ୍ପାଏୱେୟାର ମାଧ୍ୟମରେ ଏହି ଜାସୁସି ହୋଇଥିବା ଚିହ୍ନଟ ହୋଇଛି। “

 ଏହାପୂର୍ବରୁ ଏକ ରାଲିରେ ମମତା କେନ୍ଦ୍ର ସରକାରଙ୍କୁ ଦେଶକୁ ‘ଜାସୁସି ରାଷ୍ଟ୍ର’ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ।  ପେଗାସସ୍ ସ୍ପାଏୱେୟାର ବ୍ୟବହାର କରି ରାଜନେତା, ଆକ୍ଟିଭିସ୍ଟ, ସାମ୍ବାଦିକ, ଜଜ୍ ଇତ୍ୟାଦିଙ୍କୁ ଟାର୍ଗେଟ କରୁଥିବା ଏହି ଜାସୁସି ମାମଲାର ଯାଞ୍ଚ ପାଇଁ ସୌସେ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ସେ ବିରୋଧୀ ଦଳମାନଙ୍କୁ କହିଛନ୍ତି ଯେ 2024 ଲୋକସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି (ବିଜେପି) କୁ ପରାସ୍ତ କରିବାକୁ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ।

 ଆସନ୍ତା ସପ୍ତାହରେ ଦିଲ୍ଲୀରେ ଏକ ବୈଠକ କରିବାକୁ ମମତା ବାନାର୍ଜୀ ବିରୋଧୀ ଦଳର ନେତାମାନଙ୍କୁ କହିଛନ୍ତି। ସେ କହିଛନ୍ତି, “ମୁଁ ଆସନ୍ତା ସପ୍ତାହରେ ଦିଲ୍ଲୀରେ ରହିବି।  ମୁଁ ଆଶା କରୁଛି ଶରଦ ପାୱାର ବିରୋଧୀ ଦଳ ମାନଙ୍କର ଏକ ବୈଠକ ଆୟୋଜନ କରିପାରିବେ। ଲୋକସଭା ନିର୍ବାଚନ ପାଇଁ ଅଢେଇ ବର୍ଷ ବାକି ଅଛି,ଆମକୁ 2024 ପାଇଁ ଆମର ଯୋଜନା ଆରମ୍ଭ କରିବାକୁ ପଡିବ। “

 ସେ ଦାବି କରିଛନ୍ତି ଯେ ୱାଟରଗେଟ୍ ଅପେକ୍ଷା ପେଗାସସ୍ ଏକ ବଡ ସ୍କାମ।  ପେଗାସସ୍ ପ୍ରସଙ୍ଗ ଉଠାଇ ଦେଶରେ ଏକ ରାଜନୈତିକ ଆନ୍ଦୋଳନ ଆୟୋଜନ କରିବାକୁ ମଧ୍ୟ ଏନସିପି ମୁଖ୍ୟ ଶରଦ ପାୱାର ଏବଂ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ସିଏମ୍ ମମତା ବାନାର୍ଜୀ ଅନୁରୋଧ କରିଛନ୍ତି।

Related Posts