‘ଲୋକ ସବୁ କଥା ଜାଣିଲେ ବୋଲି ବିଜେଡିକୁ ପ୍ରତ୍ୟାଖ୍ୟାନ କଲେ’ ; ନବୀନଙ୍କୁ ବିଜେପିର କାଉଣ୍ଟର

ଭୁବନେଶ୍ୱର,୨/୧୦(ସତ୍ୟପାଠ ବ୍ୟୁରୋ): ଆଜିଠୁ ବିଜେଡିର ଆରମ୍ଭ ହୋଇଛି ଜନସମ୍ପର୍କ ପଦଯାତ୍ରା । ଜନସମ୍ପର୍କ ପଦଯାତ୍ରା ସଭାରେ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ନବୀନ। ସେ କହିଛନ୍ତି, ଗତ ୨୪ ବର୍ଷ ଭିତରେ ବିଜୁ ଜନତା ଦଳ ଓଡ଼ିଶାର ବିକାଶ ପାଇଁ ବହୁତ କିଛି କରିଛି। ଡବଲ ଇଂଜିନ ସରକାର ଶାସିତ ରାଜ୍ୟଙ୍କଠାରୁ ଓଡ଼ିଶା ଢେର ଆଗରେ ଅଛି।

ଅନ୍ୟପଟେ, ନବୀନଙ୍କ ଆଟାକ୍‌ର କାଉଣ୍ଟର କରିଛନ୍ତି ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ତ୍ରିପାଠୀ। ସେ କହିଛନ୍ତି, ନବୀନ ଗୋଟିଏ କଥା ସତ କହିଛନ୍ତି ଯେ, ଲୋକ ସବୁ ଜାଣିଛନ୍ତି। ହଁ ଲୋକ ସବୁ କଥା ଜାଣିଲେ ବୋଲି ଆପଣଙ୍କୁ ପ୍ରତ୍ୟାଖ୍ୟାନ କଲେ। ଲୋକ ସମର୍ଥନ ନାହିଁ ବୋଲି ଶହେ ଦିନ ପରେ ବି ସେ ଗ୍ରହଣ କରିପାରୁନାହାନ୍ତି। ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା, ସବୁ ଗୋଟି ଗୋଟି ପୂରଣ କରୁଛି। ବିଜେପି ଯାହା କହେ ତାହା କରେ ବୋଲି ବିରଞ୍ଚି ତ୍ରିପାଠୀ କହିଛନ୍ତି।

ସୂଚନା ଅନୁସାରେ, ଜନସମ୍ପର୍କ ପଦଯାତ୍ରା ଅବସରରେ ଜନସଭାରେ ସମ୍ବୋଧନ କରି ବିଜେଡି ସୁପ୍ରିମୋ କହିଥିଲେ ଯେ, ବିଜେଡି ସରକାରର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା କୋଟି କୋଟି ଲୋକ ଉପକୃତ ହୋଇଛନ୍ତି। ବର୍ତ୍ତମାନ ସରକାର ସେହି ଯୋଜନାର ନାମ ବଦଳାଇ ଦେଇଛନ୍ତି। ଆପଣ ଯୋଜନାର ନାମ ବଦଳାଇ ଦେଇ ପାରିବେ କିନ୍ତୁ ଇତିହାସ ବଦଳାଇ ପାରିବେ ନାହିଁ। ମିଛ କାହାଣୀ କହି ବିଜେପି କ୍ଷମତାକୁ ଆସିଛି। ଆପଣ ମାନେ ମାଗଣାରେ ୩ଶହ ୟୁନିଟ୍ ବିଜୁଳି ପାଉଛନ୍ତି କି ? କେତେ ଜଣ ମା’ ୫୦ ହଜାର ଟଙ୍କା ପାଇଲେଣି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ସୁପ୍ରିମୋ।

Related Posts