ତମେ ଯାଅନି ଡାକ୍ତର ବାବୁ… ଆମ ଆତ୍ମା କାନ୍ଦୁଛି

(ସତ୍ୟପାଠ ବ୍ୟୁରୋ) କଳାହାଣ୍ଡି: ଯେ କୌଣସି କ୍ଷେତ୍ରରେ ନିଷ୍ଠାପର ଭାବେ ସେବା କଲେ, ତାର ପୁରସ୍କାର ମିଳେ । ଯାହାର ଜ୍ବଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ଆଦିବାସୀ ବହୁଳ କଳାହାଣ୍ଡି ଜିଲ୍ଲାରେ । ଜଣେ ଡାକ୍ତରଙ୍କୁ ଲୋକେ ଏତେ ଆପଣାର କରି ନେଇଛନ୍ତି ଯେ ତାଙ୍କ ବଦଳି ବେଳେ କାନ୍ଦିଛନ୍ତି ଆବାଳ ବୃଦ୍ଧ ବନିତା । ୫ ବର୍ଷ ଧରି ଡାକ୍ତର ଖାଲି ରୋଗୀ ସେବା କରି ନଥିଲେ ବରଂ ଲୋକଙ୍କ ସୁଖଦୁଃଖରେ ବି ଥିଲେ ଭାଗିଦାରୀ । ଯାହାର ପୁରସ୍କାର ଶ୍ରଦ୍ଧା ଓ ଭଲ ପାଇବାରେ ଅଜାଡ଼ି ଦେଇଛନ୍ତି ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରରେ । ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅବିନାଶ ରଥ ବଦଳି ହୋଇ ଯିବା ବେଳେ କାନ୍ଦିଛନ୍ତି ପିଲାଠାରୁ ବୁଢ଼ା । କିଏ ଡାକ୍ତର ବାବୁଙ୍କ ପାଦ ଛୁଇଁ ପ୍ରଣାମ କରିଛି ତ କିଏ ତାଙ୍କୁ କୋଳେଇ ଧରି କଇଁକଇଁ ହୋଇ କାନ୍ଦିଛି । ସମସ୍ତଙ୍କ ଆଖି ହୋଇଛି ଲୁହ ଛଳଛଳ । ବାଜା ବଜାଇ, ଫୁଲମାଳ ପିନ୍ଧାଇ ଡାକ୍ତର ବାବୁଙ୍କୁ ଲୋକେ ଦେଇଛନ୍ତି ଭାବବିହ୍ବଳ ବିଦାୟ ସମ୍ବର୍ଦ୍ଧନା । ଉପହାରରେ ଦେଇଛନ୍ତି ମାଆ ମାଣିକେଶ୍ବରୀଙ୍କ ବନ୍ଧେଇ ଫଟୋଚିତ୍ର । ଡାକ୍ତର ଅବିନାଶ ଯେଉଁଭଳି ଭାବେ ରୋଗୀସେବା କରିଛନ୍ତି, ତାକୁ ଝୁରି ହେଉଛନ୍ତି ଅଞ୍ଚଳବାସୀ । ଡାକ୍ତର କେବେ ତାଙ୍କୁ ଛାଡ଼ି ଚାଲିଯିବେ, ଏକଥା ସ୍ବପ୍ନରେ ଭାବି ନ ଥିଲେ ଥୁଆମୂଳ ରାମପୁରର ଲୋକେ । ବିଦାୟ ଦେବା ବେଳେ ଆଦିବାସୀ ମହିଳାମାନେ କହିଛନ୍ତି, ଏଭଳି ଡାକ୍ତର ସେମାନେ ଆଗରୁ କେବେ ଦେଖି ନ ଥିଲେ । ରାତିଦିନ ଯେତେବେଳ ଡାକ୍ତରଖାନା ଗଲେ ଡାକ୍ତର ବାବୁଙ୍କୁ ଦେଖିବାକୁ ମିଳିବ । ସ୍ନେହ ଆଦରର ସହ ଡାକ୍ତର ବାବୁ ସବୁ ରୋଗୀଙ୍କର ଚିକିତ୍ସା କରନ୍ତି । ବେଳ ପାଇଲେ ଦୁର୍ଗମ ଅଞ୍ଚଳକୁ ବାଇକରେ ଯାଇ ରୋଗୀଙ୍କ ଘରେ ପହଞ୍ଚି ଯାଆନ୍ତି । ଖାଲି ରୋଗୀସେବା ନୁହଁ, ଲୋକଙ୍କ ଭିତରେ ସ୍ବାସ୍ଥ୍ୟ ସଚେତନତା ସୃଷ୍ଟି କରିବାରେ ତାଙ୍କ ଭୂମିକା ଉଲ୍ଲେଖନୀୟ ।

୨୦୧୫ରେ ଭୁବନେଶ୍ବରରୁ ଆସି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ ଯୋଗ ଦେଇଥିଲେ ଅବିନାଶ ରଥ । ଦୀର୍ଘ ୫ ଧରି ଅବିନାଶଙ୍କ ନିରବଚ୍ଛିନ୍ନ ଓ ନିଷ୍ଠାପର ରୋଗୀସେବା ପୂରା ଅଞ୍ଚଳବାସୀଙ୍କୁ କିମିଆ କରିଦେଲା । ଖାଲି ରୋଗୀସେବା ନୁହେଁ, ଆଚାର-ବ୍ୟବହାରରେ ଲୋକଙ୍କ ମନ କିଣି ନେଇଥିଲେ ଅବିନାଶ । ଏଭଳି ଜଣେ ଡାକ୍ତରଙ୍କୁ ପାଖରୁ ଛାଡ଼ିବାକୁ ଆଦୌ ଚାହୁଁ ନ ଥିଲେ ଥୁଆମୂଳ ରାମପୁରବାସୀ । କିନ୍ତୁ ସରକାରୀ ନୀତି ନିୟମ ଭିତରେ କର୍ତ୍ତବ୍ୟର ଆହ୍ବାନକୁ ଅଣଦେଖା କରିବା ଡାକ୍ତର ଅବିନାଶଙ୍କ ପକ୍ଷେ ସମ୍ଭବ ନ ଥିଲା । ଅବିନାଶଙ୍କ ବଦଳି ହୋଇଛି ପୁରୀ ଜିଲ୍ଲା ପିପିଲି ହସ୍ପିଟାଲକୁ । ଲୋକଙ୍କଠାରୁ ବିଦାୟ ନେବା ବେଳେ ଅବିନାଶଙ୍କ ଆଖି ବି ହୋଇଯାଇଥିଲା ଲୁହ ଛଳଛଳ । ଡାକ୍ତର ଅବିନାଶ କହିଛନ୍ତି, କେବିକେ ଅଞ୍ଚଳରେ ୫ ବର୍ଷ କାମ କରିବାର ଅନୁଭୂତି ସାରା ଜୀବନ ଅବିସ୍ମରଣୀୟ ହୋଇରହିବ । ଏଠାକାର ଲୋକେ ତାଙ୍କୁ ଯେଉଁ ସ୍ନେହ, ଶ୍ରଦ୍ଧା ଅଜାଡ଼ି ଦେଇଛନ୍ତି, ସେ ତାହା କେବେ ଭୁଲି ପାରିବେନି । ବିଦାୟ ବେଳାର ଗୋଟି ଗୋଟି ମୁହୂର୍ତ୍ତ ତାଙ୍କ ସ୍ମୃତିରେ ସାଇତି ରହିବ ।

Related Posts