
(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ନିୟନ୍ତ୍ରଣ ଲାଗି ସେନା ମୁତୟନ କରାଯିବନି । ଉତ୍ତେଜନା ସୃଷ୍ଟିକାରୀ ନେତାଙ୍କ ବିରୋଧରେ ତୁରନ୍ତ ଏଫ୍ଆଇଆର ରୁଜ୍ଜୁ କର । ଦିଲ୍ଲୀ ହିଂସାକୁ ନେଇ ଏମିତି ଅନେକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟ ଏ ସଂପର୍କରେ ନିଜର କଡ଼ା ଆଭିମୁଖ୍ୟ ପୋଷଣ କରି କହିଛନ୍ତି ହିଂସା ପୀଡ଼ିତ ଓ ତାଙ୍କ ପରିବାରକୁ ଉଭୟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ଅଧିକାରୀମାନେ ସାକ୍ଷାତ କରନ୍ତୁ ।
ଦିଲ୍ଲୀ ହିଂସାକୁ ନେଇ ଖପ୍ପା ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ହିଂସାକୁ ନେଇ ସମାଜସେବୀ ତଥା ପୂର୍ବତନ ପ୍ରାଶାସନିକ ଅଧିକାରୀ ହର୍ଷ ମନ୍ଦେରଙ୍କ ଦ୍ବାରା ଆଗତ ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ଦିଲ୍ଲୀରେ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିବା ନେତାଙ୍କ ବିରୋଧରେ କାହିଁକି ଏଯାଏ FIR ହୋଇନାହିଁ, ଏଫ୍ଆଇଆର ନ ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବ କିପରି ? ତେଣୁ ତୁରନ୍ତ ସେମାନଙ୍କ ବିରୋଧରେ ଏଫ୍ଆଇଆର ରୁଜ୍ଜୁ କର।