ଆଗରୁ ପେଟ୍ରୋଲ ଓ ଡିଜେଲ ଦର ବଢିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚଉଦ ପୁରୁଷ ଉଝାଳନ୍ତି ବିଜେଡିର କୁହାଳିଆ ତୁଣ୍ଡ ମାନେ । ସଂଜୟ ଦାସବର୍ମାଙ୍କ ଠାରୁ ନେଇ ଶସ୍ମିତ ପାତ୍ରଙ୍କ ଯାଏ ନନଷ୍ଟପ ସମାଲୋଚନା କରନ୍ତି ବିଜେପିକୁ । କଥା ସେତିକିରେ ସରେନି ରାଜଭବନକୁ ଘନଘନ ଦୌଡନ୍ତି ପ୍ରତିବାଦ କରିବାକୁ । ରାଜମହଲରେ ପିକେଟିଂ ହୁଏ, ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୁଏ । ହେଲେ ଏଥର କେନ୍ଦ୍ର ବଜେଟ ଉପସ୍ଥାପନର ୨୪ ଘଣ୍ଟା ଭିତରେ ଅଢେଇ ଟଙ୍କା ବଢିଲା ପେଟ୍ରୋଲ ଓ ଡିଜେଲ ଦର । ତଥାପି ଶାସକ ଦଳର ପାଟି ଫିଟୁନି । ଯେମିତି ବିଜେଡି ତୁଣ୍ଡରେ କିଏ ବାନ୍ଧି ଦେଇଛି ତୁଣ୍ଡି । ଯାହାକୁ ନେଇ ଉଷ୍ମ ହୋଇଉଠିଛି ରାଜ୍ୟ ରାଜନୀତି।
ସାରା ଦେଶ ଜାଣିଛି, ଆଉ କିଛି ବଢୁ ନ ବଢୁ ଯଦି କେବଳ ତୈଳଦର ବଢିଲା ତେବେ ସାଧାରଣ ଲୋକଙ୍କ ମେରୁଦଣ୍ଡ ଉପରେ ସିଧା ମହଙ୍ଗା ମାଡ ହୁଏ । ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢେ । ରାସନ ଠୁ ନେଇ ପରିବା ଯାଏ ସବୁର ଦର ହୁ ହୁ ହେଇ ବଢେ । ଯାହାର ସିଧା ପ୍ରଭାବ ପଡେ ଖଟିଖିଆ ମଜୁରିଆ ଓ ମଧ୍ୟବିତ୍ତଙ୍କ ଉପରେ । ବଜେଟରେ ସାଧାରଣ ଲୋକଙ୍କ ପାଇଁ ସେଭଳି କିଛି ଠୋସ ସୁବିଧା କରାଯାଇନଥିବା ବେଳେ ମହଙ୍ଗା ବୃଦ୍ଧି ପାଇଁ କିନ୍ତୁ ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର ।
କଥା ହେଉଛି, ଓଡିଶାକୁ ଗରୀବ ରାଜ୍ୟ ଦେଖାଇ ଫୋକସ୍ ଷ୍ଟେଟ୍ ମାନ୍ୟତା ମାଗୁଛନ୍ତି ରାଜ୍ୟ ସରକାର । ରାତି ପାହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କେନ୍ଦ୍ରକୁ ଚିଠି ଲେଖି ଦାବୀ ଜଣାଉଛନ୍ତି । ହେଲେ ଗରୀବ ରାଜ୍ୟର ଗରୀବ ଲୋକଙ୍କ ସମସ୍ୟା ବେଳକୁ ମୁହଁ ଖୋଲୁ ନାହାଁନ୍ତି ନବୀନ ବାବୁ କିମ୍ବା ତାଙ୍କ ଦଳଭାଇମାନେ ।
ହୁଏତ ବଜେଟରେ ତୈଳଦର ବଢିବା ଖୁବ୍ କ୍ବଚିତ ଦେଖାଯାଏ । ଅତିରିକ୍ତ ସେସ୍ ଲଗାଇ ମୋଦି ସରକାରଙ୍କ ଦ୍ବିତୀୟ ପାଳିରେ କିନ୍ତୁ ଅତି ଚତୁରତାର ସହ ତୈଳଦର ବୃଦ୍ଧି କରାଗଲା । ଲୋକଙ୍କ ଉପରେ ଏହାର ପ୍ରଭାବ ପଡିଲେ ବି ଶାସକ ବିଜେଡି ଚୂପ ରହିବାକୁ ନେଇ ସମାଲୋଚନା କରିଛି କଂଗ୍ରେସ ।
In the name of Addl excise and Road cess Petrol and Diesel price hiked more than Rs 2. Interestingly BJD is silent. Navin Babu and senior leaders of party didn't even condemn it on social media ( plz update me if I have missed).
— Satya Nayak (@SatyaPrNayak) July 7, 2019
ପିସିସି ମିଡିଆ ସେଲ୍ ମୁଖ୍ୟ ସତ୍ୟ ପ୍ରକାଶ ନାୟକ କହିଛନ୍ତି, ଉଭୟ କେନ୍ଦ୍ର ଓ ରାଜ୍ୟ ଲୋକଙ୍କ ସମସ୍ୟାକୁ ଦେଖିଲେ ନାହିଁ । ଜାଣିଶୁଣି ଲୋକଙ୍କ ଉପରେ ଅତିରିକ୍ତ ଚାପ ପକାଗଲା । ତଥାପି ଶାସକ ବିଜେଡି ଚୂପ ରହିବା ଅର୍ଥ ନବୀନ ବାବୁଙ୍କୁ ଲୋକଙ୍କ ସମସ୍ୟା ବଦଳରେ ନିଜର ବିଜେପି ପ୍ରିତୀକୁ ଗୁରୁତ୍ବ ଦେଲେ । ଯେଉଁଥିପାଇଁ ବଜେଟକୁ ଅନୁଶୀଳନ ନକରି ମାପିଚୁପି ଦୂରଦୃଷ୍ଟି ସମ୍ପନ୍ନ ବୋଲି ପଦିଏ କହି ଚୁପ ରହିଲେ । ଏହାହିଁ ଦର୍ଶାଉଛି, ପ୍ରେମ ବଢିଲେ ପ୍ରତିବାଦ କମିଯାଏ ।