ଟାର୍ଗେଟ ଧାରା ୩୭୦ : ବନ୍ଧୁକ ବିଜେପି, କାନ୍ଧ ବିଜେଡି

ସତ୍ୟପାଠ ବ୍ୟୁରୋ : ସମସ୍ତଙ୍କ ନଜର ଆଢ଼ୁଆଳରେ ସୁଦୃଢ଼ ହେବାରେ ଲାଗିଛି ବିଜେପି ଓ ବିଜେଡିର ପୁରୁଣା ସମ୍ପର୍କ । ଆଉ ଏ ନୂଆ ସମ୍ପର୍କର ଗଭୀରତା ଏତେ ତଳକୁ ଚାଲିଗଲାଣି ଯେ, ଏଥିପାଇଁ ବିଜେପିର ଯେ କୌଣସି ଏଜେଣ୍ଡାରେ ସମର୍ଥନ ଦେବାକୁ ନବୀନ ବାବୁଙ୍କ ଦ୍ୱିଧା ନାହିଁ । ସମ୍ପର୍କରେ ବିଶ୍ୱସନୀୟତା ବା ଲୟାଲଟିକୁ ପ୍ରମାଣ କରିବାକୁ ଯାଇ ବିଜେପିର ଏକ ବିରାଟ ବଡ ଏଜେଣ୍ଡାକୁ ମୁଣ୍ଡି ମାରିବା ପାଇଁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି, ସେ ମିଶନର ମୁଖ୍ୟ ସୂତ୍ରଧର ସାଜିଛନ୍ତି ନିଜେ ନବୀନ ବାବୁ । ବିଜେପି ଏ ଏଜେଣ୍ଡାକୁ ଶୀକାର କରିବା ପାଇଁ ନରେନ୍ଦ୍ର ମୋଦି ଓ ଅମିତ ଶାହ ଯେଉଁ ବନ୍ଧୁକ ଚଳାଇବାକୁ ଯାଉଛନ୍ତି ଏବେ ନବୀନ ବାବୁ ସେଥିପାଇଁ ନିଜ କାନ୍ଧ ଦେଖାଇଛନ୍ତି । ଅର୍ଥାତ୍ ନବୀନଙ୍କ କାନ୍ଧରେ ବନ୍ଧୁକ ରଖି ବିଜେପି ସେ ଏଜେଣ୍ଡାକୁ ପୁରା କରିବ ।

ଏଜେଣ୍ଡାଟି ହେଲା ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଯିବ । ସେଥିପାଇଁ କସରତ ଆରମ୍ଭ କରିଛି ବିଜେପି । କିନ୍ତୁ ଏ ଘଟଣାରେ ବିଜେପି ଦେଖାଇବାକୁ ଚାହୁଁଛି, ଯେ ଏ ମାମଲା କେବଳ ବିଜେପିର ଏଜେଣ୍ଡା ନୁହେଁ ବରଂ ଏଥିପ୍ରତି ରହିଛି ବିରୋଧୀ ବା ଅନ୍ୟ ରାଜନୈତିକ ଦଳ ମାନଙ୍କର ସମର୍ଥନ । ଏକଥା ଯଦିଓ ନା ତ ନବୀନ ପ୍ରକାଶ କରିଛନ୍ତି ନା ବିଜେଡି ତରଫରୁ ଏଭଳି କିଛି ସୂଚନା ଦେଇଛନ୍ତି କିନ୍ତୁ ବିଜେଡି ଓ ନବୀନ ବାବୁଙ୍କର କିଛି କାର୍ଯ୍ୟ ଏଭଳି ଏକ ଗୁପ୍ତ ଯୋଜନା ପ୍ରତି ନବୀନଙ୍କର ସମର୍ଥନ ଥିବା ଆଭାସ ଦେଉଛି ।

ଭାରତୀୟ ଜନତା ପାର୍ଟି ଯାହାଙ୍କ ନୀତି, ଆଦର୍ଶ ଓ ବ୍ୟକ୍ତିତ୍ୱରେ ଚାଲେ, ସେ ହେଉଛନ୍ତି ଶ୍ୟମା ପ୍ରସାଦ ମୁଖାର୍ଜୀ । ଭାରତୀୟ ଜନତା ପାର୍ଟିର ଆଦ୍ୟନେତା ଓ ଜନସଂଘର ପ୍ରତିଷ୍ଠାତା । ୧୯୫୩ ଜୁନ ୨୩ରେ ଶ୍ରୀନଗର ସେଣ୍ଟ୍ରାଲ ଜେଲରେ ଥିବା ବେଳେ ରହସ୍ୟଜନକ ଭାବେ ତାଙ୍କର ମୃତ୍ୟୁ ହେଲା । ଯାହା ଆଜି ଯାଏ ବିବାଦୀୟ ହୋଇ ରହି ଆସିଛି । ଆଉ ଏହି ମୃତ୍ୟୁର ତଦନ୍ତ ଦାବୀ କରିଛି ବିଜେଡି । ଲୋକସଭାରେ ବିଜେଡି ସାଂସଦ ଭର୍ତ୍ତୁହରି ମହତାବ ଏହି ପ୍ରସଙ୍ଗ ଉଠାଇଛନ୍ତି । ହଠାତ ୬୬ବର୍ଷ ତଳର ପୁରୁଣା ଫାଇଲ କାଢ଼ିବାକୁ କାହିଁକି ବିଜେଡି ଦାବୀ କରିଛି ତାହା ଅନେକ ଅସମାହିତ ପ୍ରଶ୍ନ ଛିଡା କରିଛି । ଓଡିଶାକୁ ଫୋକସ୍ ଷ୍ଟେଟ ମାନ୍ୟତା ଭଳି ରାଜ୍ୟର ବହୁ ଗରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିବା ବେଳେ ଭର୍ତ୍ତୁହରି ହଠାତ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର ମୃତ୍ୟୁ ପ୍ରସଙ୍ଗ ଉଠାଇଲେ । ଅବଶ୍ୟ ମୁଖାର୍ଜୀଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ପାଇଁ ପଶ୍ଚିମବଙ୍ଗ ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ଆଉ ଏହାକୁ କେନ୍ଦ୍ରକୁ ପଠାଯାଇଥିଲା । କିନ୍ତୁ ଆଜିଯାଏ କେନ୍ଦ୍ର ସରକାର ଏ ପ୍ରସ୍ତାବ ଉପରେ କୌଣସି ପଦକ୍ଷେପ ନେଇ ନାହାଁନ୍ତି ।

କହିବା ବାହୁଲ୍ୟ, ଲୋକସଭାରେ ଭାରତୀୟ ଜନତା ପାର୍ଟିର ୩୦୫ ସଦସ୍ୟ ଅଛନ୍ତି । ହେଲେ କାହାରି ଜିଭ ଲେଉଟିଲା ନାହିଁ ଏ ପ୍ରସଙ୍ଗ ଉଠାଇବା ପାଇଁ । ଗତ ସରକାରରେ ବି ଦଳର ସଂଖ୍ୟାଧିକ ସଦସ୍ୟ ଥିଲେ । ତଥାପି ଏ ଦାବୀ କେହି ଉଠାଇଲେ ନାହିଁ । ଖାଲି ସେତିକି ନୁହେଁ ୨୦୦୦ ମସିହାରେ ଭର୍ତ୍ତୁହରି ବାବୁ ଥିଲେ ପାର୍ଲାମେଂଟରେ ଆଉ ବାଜପେୟୀ ସରକାର ଥିଲା । ସେତେବେଳେ ପୁଣି ଭାଗୁଆଳି ସରକାର ଥିଲା । ତଥାପି ଏ ପ୍ରସଙ୍ଗ ସେତେବେଳେ ଉଠିଲାନି । ଏବେ ପ୍ରଶ୍ନ ଉଠିପାରେ, ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମୃତ୍ୟୁର ସାନି ନିରପେକ୍ଷ ତଦନ୍ତ ଦାବୀ କରିବା ନେଇ ଧାରା-୩୭୦ ଉଠିବା ପଛରେ ବିଜେଡିର ସମର୍ଥନର କଣ ସମ୍ପର୍କ ରହିଛି ? ଯଦିଓ ପ୍ରକାଶ୍ୟରେ କେହି ଏକଥା ପ୍ରକାଶ କରୁ ନାହାଁନ୍ତି କିନ୍ତୁ ଏ ପ୍ରସଙ୍ଗ ଏବେ କାହିଁକି ଉଠିଲା ତାହା ମଧ୍ୟ ଆଲୋଚନା ସାପେକ୍ଷ ।

ଏ ପ୍ରସଙ୍ଗ ସେହି ସମୟରେ ଉଠିଛି ଯେତେବେଳେ ଅମିତ ଶାହ ଓ ଭାରତୀୟ ଜନତା ପାର୍ଟି କାଶ୍ମୀରରୁ ଧାରା-୩୭୦ ଉଠାଇବା କଥା କହୁଛନ୍ତି । ଆଉ ଶ୍ୟାମା ପ୍ରସାଦ ମୁଖାର୍ଜୀ ମୂଳରୁ ଏହାକୁ ବିରୋଧ କରୁଥିଲେ । ଗୋଟିଏ ଦେଶ ଭିତରେ ଗୋଟିଏ ସମ୍ବିଧାନରେ ଦୁଇ ଦୁଇଟି ନିୟମ କାହିଁକି ବୋଲି କହି ଏହାକୁ ବିରୋଧ କରିଥିଲେ ମୁଖାର୍ଜୀ । ପରବର୍ତ୍ତୀ ସମୟରେ ଶ୍ରୀନଗର ଜେଲରେ ଥିବା ବେଳେ ତାଙ୍କର ସନ୍ଦେହଜନକ ମୃତ୍ୟୁ ହେଲା । ତେଣୁ ଏହାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ସିଧା ନହେଲେ ମଧ୍ୟ ଶ୍ୟାମା ପ୍ରସାଦଙ୍କ ମୃତ୍ୟୁ ତଦନ୍ତ ଦାବୀ କରିବା ଆଳରେ କାଶ୍ମୀରରୁ ଧାରା – ୩୭୦ ଉଚ୍ଛେଦ ପାଇଁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି ତାହାକୁ ବିଜେଡି ସମର୍ଥନ ଦେଉନାହିଁ ତ ?

Related Posts