ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରତିବର୍ଷ ଶିତଦିନ ଆସିବା ମାତ୍ରେ ଦିଲ୍ଲୀରେ ଅହେତୁକ ଭାବେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଥାଏ। ତେବେ ଏହି ପ୍ରଦୂଷଣର ମାତ୍ରା କମ୍ କରିବାକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତବର୍ଷ ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବାକୁ ଏକ ବଡ ନିଷ୍ପତ୍ତି ନେଇଛନ୍ତି ।ସରକାରଙ୍କ ନିଷ୍ପତ୍ତି ମୁତାବକ ଦିଲ୍ଲୀରେ ଚଳାଚଳ କରୁଥିବା ଗାଡିଗୁଡିକ ମଧ୍ୟରେ ଯେଉଁ ଗାଡ଼ି ଗୁଡ଼ିକର ପଲ୍ୟୁସନ୍ ସାର୍ଟିଫିକେଟ ନଥିବ ସେହି ଗାଡିଗୁଡିକ ପେଟ୍ରୋଲ ପମ୍ପରେ ପେଟ୍ରୋଲ କି ଡିଜେଲ ମିଳିବ ନାହିଁ। ପେଟ୍ରୋଲ ପମ୍ପରେ ପେଟ୍ରୋଲ କିମ୍ବା ଡିଜେଲ ଭରିବାକୁ ହେଲେ ପଲ୍ୟୁସନ୍ ସାର୍ଟିଫିକେଟକୁ ବାଧ୍ୟତାମୂଳକ କରାଯାଇଛି। ଦିଲ୍ଳୀ ସରକାରଙ୍କ ଏହି ନିୟମ ଆସନ୍ତା ଅକ୍ଟୋବର ୨୫ ତାରିଖରୁ ଲାଗୁ ହେବ ବୋଲି ଜଣାପଡ଼ିଛି ।

ଏନେଇ ଦିଲ୍ଲୀ ସରକାରରଙ୍କ ପର୍ଯ୍ୟାବରଣ ମନ୍ତ୍ରୀ ଗୋପାଲ ରାୟ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରଦୂଷଣ ରୋକିବାକୁ ଗ୍ରାପ ଓ ୱିଣ୍ଟର ଆକ୍ସନ ପ୍ଲାନକୁ କଠୋର ଭାବେ ଲାଗୁ କରାଯିବ । ଏହାସହ ଅକ୍ଟୋବର ୩ ତାରିଖରୁ ପର୍ଯ୍ୟାବରଣ ମନ୍ତ୍ରଣାଳୟର ୱାରରୁମ କାମ କରିବା ଆରମ୍ଭ କରିଦେବ । ଏହି ୱାର ରୁମ ୨୪ ଘଣ୍ଟା କାମ କରିବ, ଏହାସହ ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାରଙ୍କ ତରଫରୁ ଆସନ୍ତା ଅକ୍ଟୋବର ୬ ତାରିଖରୁ ଆଣ୍ଟି-ଡଷ୍ଟ କ୍ୟାମ୍ପେନ ଆରମ୍ଭ ହେବବୋଲି ସେ ସୂଚନା ଦେଇଛନ୍ତି ।