ବାୟୁର ମାନ ନ ସୁଧୁରିବା ପର୍ଯ୍ୟନ୍ତ ଦିଲ୍ଲୀର ସବୁ ସ୍କୁଲ୍‌ ବନ୍ଦ ରଖାଯାଉ; ଦିଲ୍ଲୀ ସରକାରଙ୍କୁ ଚିଠି ଲେଖିଲା ଏନ୍‌ସିପିସିଆର୍‌

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜାତୀୟ ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବାୟୁର ମାନରେ ଅବନତି ଘଟୁଛି। ପ୍ରଦୂଷିତ ବାୟୁ ଯୋଗୁ ନିଃଶ୍ୱାସ ନେବାରେ ମଧ୍ୟ ସମସ୍ୟା ଉପୁଜିଛି। ଏହି ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ ରଖିବା ଲାଗି ‘ଜାତୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ’ (ଏନ୍‌ସିପିସିଆର୍‌) ଦିଲ୍ଲୀ ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଛି।

ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ସ୍କୁଲ୍‌ ଯାଉଥିବା ପିଲାମାନଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଦୂଷିତ ବାୟୁ ମାନର ପ୍ରଭାବ ସମୀକ୍ଷା କରିବା ପରେ ‘ଏନ୍‌ସିପିସିଆର୍‌’ ଉପରୋକ୍ତ ଚେତାବନୀ ଜାରି କରିଛି। ତେବେ ଦିଲ୍ଲୀରେ ବାୟୁ ମାନ ଆଜି ପୁନର୍ବାର ଭୀଷଣ ହେବାରୁ ଆଜି ସକାଳେ ଜାତୀୟ ରାଜଧାନୀ ଓ ତତ୍‌ସଂଲଗ୍ନ ଅଞ୍ଚଳ ଧୂଆଁଳିଆ ଦିଶୁଥିଲା। ଆଜି ସକାଳ ୮ ବେଳେ ‘ଏୟାର୍‌ ଜାତୀୟ ରାଜଧାନୀରେ କ୍ବାଲିଟି ଇଣ୍ଡେକ୍ସ୍‌’ (ଏକ୍ୟୁଆଇ) ଥିଲା ୩୬୪ (ଅତି ମନ୍ଦ ବର୍ଗ) ଏବଂ ସକାଳ ୭ଟା ବେଳେ ଥିଲା ୪୦୮ (ଅତି ସାଙ୍ଘାତିକ ବର୍ଗ)।

ଧୀର ବାୟୁପ୍ରବାହଜନିତ ପ୍ରତିକୂଳ ପାଣିପାଗ ପରିସ୍ଥିତି ଓ କ୍ଷେତରେ ନଡ଼ା ପୋଡ଼ି ଯୋଗୁଁ ଜାତୀୟ ରାଜଧାନୀରେ ବାୟୁ ମାନରେ ଅବନତି ଘଟୁଛି। ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବାରୁ ଜାତୀୟ ରାଜଧାନୀ ଏବେ ‘ଗ୍ୟାସ୍‌ ଚେମ୍ବର୍‌’ରେ ପରିଣତ ହୋଇଯାଇଛି ଏବଂ ଅନେକ ଲୋକେ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ସହିତ ମୁଣ୍ଡ ବିନ୍ଧୁଥିବା ଅଭିଯୋଗ କରୁଛନ୍ତି।

‘ସେଣ୍ଟ୍ରାଲ୍‌ ପଲ୍ୟୁସନ୍ କଣ୍ଟ୍ରୋଲ୍‌ ବୋର୍ଡ (ସିପିସିବି) ତଥ୍ୟ ଅନୁସାରେ, ଗତ ଅଳ୍ପ କିଛି ଦିନ ହେବ ଜାତୀୟ ରାଜଧାନୀର ବାୟୁ ମାନ ସାଙ୍ଘାତିକ ବା ‘ସିଭିୟର୍‌’ ସ୍ତରକୁ ଖସି ଆସିଛି। ଏଥିଯୋଗୁଁ, ‘ଏନ୍‌ସିପିସିଆର୍‌’ର ଅଧ୍ୟକ୍ଷା ପ୍ରିୟଙ୍କା କାନୁନ୍‌ଗୋ ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଚିଠି ଲେଖିଛନ୍ତି।

Related Posts