ଦିଲ୍ଲୀରେ ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ; ସ୍କୁଲ ବନ୍ଦ୍ ପରେ ୫୦ ପ୍ରତିଶତ ସରକାରୀ କର୍ମଚାରୀଙ୍କୁ ୱାର୍କଫ୍ରମ ହୋମ ନିର୍ଦ୍ଦେଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଆଜି ରାଜ୍ୟର ୫୦ ପ୍ରତିଶତ ସରକାରୀ କର୍ମଚାରୀଙ୍କୁ ୱାର୍କଫ୍ରମ ହୋମ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବେସରକାରୀ ସଂସ୍ଥାମାନଙ୍କୁ ବି ସେମାନଙ୍କ କର୍ମଚାରୀଙ୍କ ପାଇଁ ୱାର୍କଫ୍ରମ ହୋମ ଗାଇଡଲାଇନ ଜାରି କରିବାକୁ ପରାମର୍ଶ ଦେଇଛନ୍ତି ।

ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ, ଦିଲ୍ଲୀ ସରକାର ଜିଆରପିର ଅନ୍ତିମ ଚରଣ କ୍ରମରେ ବାୟୁ ଗୁଣବତ୍ତା ସମିତି ଦ୍ୱାରା ସ୍ଥିର କରାଯାଇଥିବା ନିୟମକୁ ଲାଗୁ କରିବାକୁ ନିର୍ଣ୍ଣୟ ନେଇଛନ୍ତି । ଏହାସହ ବାୟୁ ପ୍ରଦୂଷଣ ରୋକିବା ନେଇ ଏକ ୬ ଜଣିଆ କମିଟି ଗଠନ କରାଯାଇଥିବା କଥା ସେ କହିଛନ୍ତି । ସେମାନେ ରାଜସ୍ୱ ବିଭାଗ, ବଜାର ଓ କାର୍ଯ୍ୟାଳୟ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟ ସମୟ ନିର୍ଦ୍ଧାରିତ କରିବେ । ଏହାସହିତ ଦିଲ୍ଲୀରେ ଖୁବଶୀଘ୍ର ଅଡ-ଇଭିନ ବ୍ୟବସ୍ଥା ଲାଗୁ କରାଯାଇପାରେ, ଏନେଇ ବିଚାର ବିମର୍ଶ ଚାଲିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବାୟୁ ପ୍ରଦୂଷଣର ପରିମାଣ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଲୋକମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ପୁରା ଦିଲ୍ଲୀର ଆକାଶରେ ଏକ ଆବରଣ ଆଚ୍ଛାଦିତ ହୋଇ ରହିଛି ଓ ପୁରା ସହର ଏବେ ଗ୍ୟାସ୍ ଚାମ୍ବର ରେ ପରିଣତ ହୋଇଛି । ଏହାକୁ ନଜରରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରଥମେ ସମସ୍ତ ପ୍ରାଥମିକ ବିଦ୍ୟାଳୟଗୁଡିକ ବନ୍ଦ କରି ଅନଲାଇନ କ୍ଲାସ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଏବେ ପରିବେଶ ମନ୍ତ୍ରୀ ଗୋପାଳ ରାୟ ୫୦ ପ୍ରତିଶତ ସରକାରୀ କର୍ମଚାରୀଙ୍କୁ ୱାର୍କଫ୍ରମ ହୋମ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Related Posts