ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ରେ ମାମଲା ରୁଜୁ : ଜୁଲାଇ ୩ ରେ ଶୁଣାଣି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶରେ ଅହେତୁକ ତୈଳ ଦର ବୃଦ୍ଧିକୁ ନେଇ ଜନତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଦେଶର ବିଭିନ୍ନ ରାଜ୍ୟରେ ଲିଟର ଶତକ ପାର କଲାଣି। ବିଶ୍ବରେ କୋଭିଡ୍‌ ମହାମାରୀ ଆତଙ୍କ ସୃଷ୍ଟି କରିବାର ଦେଢ଼ବର୍ଷ ପାଖାପାଖି ବିତିଲାଣି ଏବଂ ଏହି ୧୮ମାସ ଭିତରେ ଇନ୍ଧନ ତୈଳ ମୂଳ ମୂଲ୍ୟର ୨୫ଶତକଡ଼ା ବୃଦ୍ଧି ଘଟି ସାରିଲାଣି। ଏହା ମଧ୍ୟରେ ସରକାରଙ୍କ ପ୍ରତି ଜନସାଧାରଣଙ୍କ ଆକ୍ରୋଶ ବୃଦ୍ଧି ପାଉଥିବା ବେଳେ ପେଟ୍ରୋଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବିହାରର ମୁଜାଫରପୁର କୋର୍ଟରେ ମାମଲା ଦାୟର କରାଯାଇଛି। ଜୁନ୍ ୨୮ରେ ଏହି ମାମଲା ରୁଜୁ ହୋଇଛି। ସ୍ଥାନୀୟ ବାସିନ୍ଦା ତମନ୍ନା ହାଶ୍ମୀ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମୁଜାଫରପୁର କୋର୍ଟରେ ଏହି ମାମଲା ଦାୟର କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବହୁତ କମ୍ ଥିଲେ ମଧ୍ୟ ଦେଶରେ ଚଢା ଦରରେ ପେଟ୍ରୋଲ ବିକ୍ରି କରିବା ଏକ ଷଡଯନ୍ତ୍ର। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ତୈଳଦର ବୃଦ୍ଧି ସାଧାରଣ ଲୋକଙ୍କୁ ଆତଙ୍କିତ କରିଛି। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଆଇପିସିର ଧାରା 511 (ଅପରାଧ ଉଦ୍ୟମ) , 420 (ଠକେଇ), 295 ଏବଂ 295 (ଏ) ଅନୁଯାୟୀ ମାମଲା ଦାୟର କରାଯାଇଛି । ଜୁଲାଇ ୩ ତାରିଖରେ ଏହି ମାମଲାର ଶୁଣାଣି ହେବା ନେଇ ତାରିଖ ଧାର୍ଯ୍ୟ ହୋଇଛି। ଉଲ୍ଲେଖନୀୟ ବିଷୟ ହେଉଛି, ସରକାର ଲଗାତର ଭାବରେ କହୁଛନ୍ତି ଯେ ତୈଳ ଦର ବୃଦ୍ଧି ସରକାରଙ୍କ ନିୟନ୍ତ୍ରଣ ବାହାରେ , କିନ୍ତୁ ଯେତେବେଳେ ବି କୌଣସି ରାଜ୍ୟରେ ନିର୍ବାଚନ ଆସେ , ସେତେବେଳେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପରିବର୍ତ୍ତେ ହ୍ରାସ ପାଇଥାଏ । ନିର୍ବାଚନ ଶେଷ ହେବା ମାତ୍ରେ ଦର ପୁଣି ବୃଦ୍ଧି ପାଇଥାଏ। ନିକଟରେ ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ଏହି ପ୍ରକ୍ରିୟା ଦେଖିବାକୁ ମିଳିଥିଲା। ତେବେ ସାଧାରଣ ଲୋକଙ୍କ ପ୍ରଶ୍ନ ହେଉଛି ଯେ ଯଦି ତୈଳ ଦର ବୃଦ୍ଧି ସରକାରଙ୍କ ନିୟନ୍ତ୍ରଣରେ ନାହିଁ ତେବେ ସରକାର ନିର୍ବାଚନ ସମୟରେ କିପରି ଦର ହ୍ରାସ କରୁଛନ୍ତି ? ବିଶ୍ବବଜାରରେ ଅଶୋଧିତ ତୈଳ ଦର କମ୍ ହେଲେ ମଧ୍ୟ ଲୋକଙ୍କୁ ଆଶ୍ବସ୍ତି ମିଳୁନାହିଁ ।

Related Posts