‘ଏତେ ବ୍ୟସ୍ତ’ ? ପୂର୍ବ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ୧୦୦ ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଦେବାକୁ ଭୁଲିଗଲେ ରାହୁଲ ଓ ସୋନିଆ ଗାନ୍ଧୀ : ବିଜେପି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କ ୧୦୦ ତମ ଜନ୍ମ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ନଜଣାଇ ସମାଲୋଚନାର ଶିକାର ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ବିଜେପି ପକ୍ଷରୁ ରହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରାଯାଇଛି। ବିଜେପି ନେତା ତଥା କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଜି କିଶାନ ରେଡ୍ଡୀ ଟ୍ବିଟ୍ କରି କହିଛନ୍ତି, ” ଟୁଇଟରରେ ଅଧିକାଂଶ ସମୟ ଆକ୍ଟିଭ ରହୁଥିବା ରାହୁଲ ଗାନ୍ଧୀ ଏତେ ବ୍ୟସ୍ତ ହୋଇଗଲେ ଯେ ଆଜୀବନ କଂଗ୍ରେସ କର୍ମୀ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପି.ଭି ନରସିଂହ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଭୁଲି ଗଲେ। ” ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଶ୍ରୀ ରାହୁଲ ଗାନ୍ଧୀ ଏତେ ବ୍ୟସ୍ତ ଯେ ସେ ଶ୍ରୀ ପି.ଭି. ନରସିଂହ ରାଓଙ୍କ 100 ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଭୁଲି ଯାଇଛନ୍ତି। ” ରେଡ୍ଡୀ କହିଛନ୍ତି ଯେ, ଦେଶ ପାଇଁ କାମ କରୁଥିବା ବ୍ୟକ୍ତିଙ୍କୁ ବିଜେପି ପାର୍ଟି ଲାଇନରୁ ଉପରକୁ ଉଠି ଶ୍ରଦ୍ଧାଞ୍ଜଳି ଜଣାଏ ସେ କଂଗ୍ରେସ ନେତା ହୁଅନ୍ତି କିମ୍ବା ଅନ୍ୟ କୌଣସି ଦଳର ନେତା। ପିଭି ନରସିଂହ ରାଓ ଭାରତରେ ଅର୍ଥନୈତିକ ସଂସ୍କାର ଆଣିଥିଲେ। ସଙ୍କଟ ସମୟରେ ସେ ଦେଶର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

ରେଡ୍ଡୀ ANI କୁ କହିଛନ୍ତି, ” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ପିଭି ନରସିଂହ ରାଓଙ୍କ ସ୍ମୃତିରେ ଡାକ ଷ୍ଟାମ୍ପ ଉନ୍ମୋଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ” ସେହିପରି ନରସିଂହ ରାଓଙ୍କ ନାତି ତଥା ବିଜେପି ନେତା ଏନ.ଭି ସୁଭାଷ ମଧ୍ୟ ତାଙ୍କ ଜେଜେବାପାଙ୍କୁ ଶ୍ରଦ୍ଧାଞ୍ଜଳି ନ ଦେଇଥବାରୁ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ କଡା ସମାଲୋଚନା କରିଥିଲେ। ସେ କହିଛନ୍ତି, “ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାମାନେ ସ୍ୱର୍ଗତ ପିଭି ନରସିଂହ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇନାହାଁନ୍ତି କାରଣ ସେ ଦକ୍ଷିଣ ଭାରତରୁ ଆସିଥିଲେ ଏବଂ ସେ ଗାନ୍ଧୀ ପରିବାରର ନୁହଁନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନରସିଂହ ରାଓଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବୋଲି ସୁଭାଷ କହିଛନ୍ତି। ତେବେ ସୂଚନାଯୋଗ୍ୟ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂ ରାଓଙ୍କୁ ମନେ ପକାଇ କହିଛନ୍ତି ଯେ ସେ ଜଣେ ବିଦ୍ବାନ ଥିଲେ ସେ ଦେଶରେ ଆର୍ଥିକ ଓ ବିଦେଶ ନୀତିରେ ଏକ ନୂତନ ଦିଗଦର୍ଶନ ଦେଇଛନ୍ତି। ଭାରତର ନବମ ତମ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ ଜୁନ୍ 1991 ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ ଏବଂ ମେ 1996 ପର୍ଯ୍ୟନ୍ତ ସେ କ୍ଷମତାରେ ରହିଥିଲେ। ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦେଶରେ ଅନେକ ଅର୍ଥନୈତିକ ସଂସ୍କାର ଆଣିବା ପାଇଁ ଜଣାଶୁଣା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ଦଳର ମନ୍ତ୍ରୀ ତଥା ବହୁ ଦଳର ରାଜନେତା ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି, “ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପି.ଭି ନରସିଂହ ରାଓ ଜୀଙ୍କୁ ତାଙ୍କର ୧୦୦ ତମ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି। ଜାତୀୟ ବିକାଶରେ ତାଙ୍କର ଅବଦାନକୁ ଭାରତ ମନେ ରଖିଛି।”

Related Posts