ଭାରତୀୟ ନୋଟ୍ ରେ ଛପାଯାଉ ଲାଲୁ ଯାଦବ ଓ କର୍ପୁରୀ ଠାକୁରଙ୍କ ଫୋଟୋ: ଆରଜେଡ଼ି ସାଧାରଣ ସମ୍ପାଦକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଭାରତୀୟ ନୋଟରେ ମହାତ୍ମା ଗାନ୍ଧୀଙ୍କ ସହିତ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ଛାପିବାକୁ ଦାବି କରିଛନ୍ତି। ତେବେ ଏହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଯାଇଛି। ଭିନ୍ନ ଭିନ୍ନ ରାଜନୈତିକ ଦଳ ମାନେ ଭାରତୀୟ ନୋଟ୍ ରେ ଭିନ୍ନ ଭିନ୍ନ ଫୋଟୋ ଛାପିବାକୁ ଦାବି କରିଛନ୍ତି। ଏହି କ୍ରମରେ ଏବେ ରାଷ୍ଟ୍ରୀୟ ଜନତା ଦଳ ( ଆରଜେଡ଼ି ) ମଧ୍ୟ ନିଜର ଦାବି ନେଇ ସାମ୍ନାକୁ ଆସିଛି। ଦଳ ପକ୍ଷରୁ ଭାରତୀୟ ନୋଟ୍ ରେ ଲାଲୁ ଯାଦବଙ୍କ ଫଟୋ ଛାପିବାକୁ ଦାବି କରାଯାଇଛି।

ରାଷ୍ଟ୍ରୀୟ ଜନତା ଦଳ ପକ୍ଷରୁ ଦଳର ବିହାର ସାଧାରଣ ସମ୍ପାଦକ ଭାଇ ଅରୁଣ କୁମାର ଦାବି କରିଛନ୍ତି ଯେ, ଲାଲୁ ପ୍ରସାଦ ଯାଦବ ଓ ଲୋକଜନନାୟକ କର୍ପୁରୀ ଠାକୁରଙ୍କ ଫୋଟୋକୁ ଭାରତୀୟ ନୋଟରେ ଛପାଯାଉ। ତେବେ ଏନେଇ ଅରୁଣ ଯୁକ୍ତି ଦର୍ଶାଇ କହିଛନ୍ତି ଯେ, ଭାରତୀୟ ମୁଦ୍ରାର ମୂଲ୍ୟ ବୃଦ୍ଧି ପାଇଁ ଆବଶ୍ୟକ ସୂତ୍ର ଆରଜେଡିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ପାଖରେ ଅଛି।

ସେ ଆହୁରି କହିଛନ୍ତି ଯେ, ଲାଲୁ ଯାଦବ ଦେଶର ରେଳ ମନ୍ତ୍ରୀ ଥିବା ସମୟରେ କ୍ଷତିରେ ଚାଲୁଥିବା ଭାରତୀୟ ରେଳବାଇକୁ ଲାଭଜନକ ସ୍ଥିତିକୁ ଆଣିଛନ୍ତି, ସେହିଭଳି ଡଲାର ତୁଳନାରେ ଭାରତୀୟ ମୁଦ୍ରାକୁ ମଜବୁତ କରିବାକୁ ହେଲେ ଭାରତୀୟ ମୁଦ୍ରାରେ ଗୋଟେ ପଟେ ଗାନ୍ଧିଜିଙ୍କ ଫଟୋ ସହ ଅନ୍ୟପଟେ କର୍ପୁରୀ ଠାକୁର ଓ ଲାଲୁ ପ୍ରସାଦ ଯାଦବଙ୍କ ଛବି ଲଗାଯିବା ଉଚିତ୍।

ଆରଜେଡି ପକ୍ଷରୁ ଦାବି କରାଯାଇଛି ଯେ ଯଦି ଏହା କରାଯାଏ, ତେବେ ଭାରତୀୟ ମୁଦ୍ରା ତଳକୁ ଖସିବା ବନ୍ଦ ହୋଇଯିବ ଓ ଭାରତୀୟ ମୁଦ୍ରାର ମୂଲ୍ୟ ବୃଦ୍ଧି ପାଇବ।

Related Posts