‘ଫିଜିକାଲି ଟାମ୍ପରିଂ ଯୋଗୁ ଘଟିଛି ବାହାନଗା ଦୁର୍ଘଟଣା !’; ଖୋର୍ଦ୍ଧା ଡିଆରଏମଙ୍କ ବୟାନକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୬/୬(ସତ୍ୟପାଠ ବ୍ୟୁରୋ): ବାହାନଗା ରେଳ ଦୁର୍ଘଟଣା ପଛରେ ଅଛି କି ଷଡ଼ଯନ୍ତ୍ର ? ଦୁର୍ଘଟଣା କାହାର ଭୁଲ୍‌ ପାଇଁ ଘଟିଲା କାରଣ ଖୋଜା ଚାଲିଥିଲା ବେଳେ ବର୍ତ୍ତମାନ ଖୋର୍ଦ୍ଧା ଡିଆରଏମ ରିଙ୍କେଶ ରାୟଙ୍କ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ କହିଛନ୍ତି, ଯଦି କେହି ଫିଜିକାଲି ଟାମ୍ପରିଂ ନ କରିବ, ତେବେ ସିଗନାଲରେ ଗଡ଼ବଡ୍ ହେବନି । ଟେକ୍ନିକାଲି ଏହା ସମ୍ଭବ ନୁହେଁ ।

ସେ ଆହୁରି କହିଛନ୍ତି, ମେନ୍ ଲାଇନରେ ଗ୍ରୀନ୍ ସିଗନାଲ ଥିଲା। ପ୍ରି କଣ୍ଡିସନ ଠିକ୍ ଥିଲେ ହିଁ ଗ୍ରୀନ ସିଗନାଲ ହୋଇଥାଏ। ଯଦି କିଛି ତ୍ରୁଟି ଥିବ,ତେବେ କେବେ ବି ଗ୍ରୀନ୍ ସିଗନାଲ ହେବ ନାହିଁ, ରେଡ୍ ଲାଇଟ ଜଳିବ । କରମଣ୍ଡଳ ଏକସପ୍ରେସ୍ ଯାଉଥିବା ମେନ୍ ଲାଇନରେ ଗ୍ରୀନ୍ ସିଗନାଲ ଥିଲା ବୋଲି ଡାଟା ଲକ୍‌ରୁ ସ୍ପଷ୍ଟ ହୋଇଛି। ଏହି କାରଣରୁ ସିଗନାଲକୁ ଫିଜିକାଲି ଟାମ୍ପିରିଂ କରାଯାଇଥିବା ସନ୍ଦେହ କରିଛନ୍ତି ଖୋର୍ଦ୍ଧା ଡିଆରଏମ୍ । ଏହି ଗଡବଡରୁ ହିଁ ଏତେ ବଡ଼ ଟ୍ରେନ ଦୁର୍ଘଟଣା ହୋଇଥିବା ସନ୍ଦେହ କରାଯାଉଛି।

ଅନ୍ୟପଟେ ରେଲୱେ ପକ୍ଷରୁ ମୃତଦେହ ଫେରାଇବାକୁ ସମ୍ପର୍କୀୟଙ୍କ ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ହେଲ୍ପ ଲାଇନ ନମ୍ବର୍ ୮୪୫୫୮୮୫୯୯୯ ଓ ୦୬୭୪ ୨୫୩୪୦୨୭ ଜାରି କରିଛି ବିଭାଗ । ଓଡ଼ିଶା, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଛତିଶଗଡ, ବିହାର, ଝାଡ଼ଖଣ୍ଡ ଆଦି ରାଜ୍ୟରୁ ଅନେକ ଯାତ୍ରୀ ଯାତ୍ରା କରୁଥିଲେ । ୮ଟି ରାଜ୍ୟର ବିଭିନ୍ନ ସ୍ଥାନକୁ ରେଲୱେ ପକ୍ଷରୁ ମୃତକଙ୍କ ଫଟୋ ଏବଂ ମୃତ ଶରୀର ପାଖରୁ ମିଳିଥିବା ସାମଗ୍ରୀର ଫଟୋ ନେଇ ଜଣାଇବା ପାଇଁ ଚେଷ୍ଟା ଚାଲିଛି । ଅନ୍ୟପଟେ ମଙ୍ଗଳବାର ସିବିଆଇର ୧୦ ଜଣିଆ ଦଳ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ଘଟଣା ପଛରେ କିଛି ଅପରାଧିକ ଷଡ଼ଯନ୍ତ୍ର ଅଛି କି ନାହିଁ, ସେନେଇ ତଦନ୍ତ ଆରମ୍ଭ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।

ସେପଟେ ଏମ୍ସ ଭୁବନେଶ୍ବରରୁ ୧୨୩ ମୃତଦେହ ମଧ୍ୟରୁ ୪୩ଟି ହସ୍ତାନ୍ତର ହୋଇଥିବାବେଳେ ୮୦ଟି ମୃତଦେହର ପରିଚୟ ଏବେ ମଧ୍ୟ ଜଣାପଡ଼ିନାହିଁ । ମୃତଦେହ ସଂରକ୍ଷଣ ପାଇଁ ଏମ୍ସରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ମୃତକଙ୍କ ପରିବାର ପାଇଁ ସମସ୍ତ ବ୍ୟବସ୍ଥା କରିଛି ଏମ୍ସ । ୨୪ ଘଣ୍ଟା ଫୋରେନ୍ସିକ ଲ୍ୟାବ ଖୋଲା ରହୁଛି । ଏବେ ପର୍ଯ୍ୟନ୍ତ ୫୦ ପ୍ରତିଶତ କାମ ସରିଛି । ବହୁ ଅନୁଷ୍ଠାନର ବିଶେଷଜ୍ଞ ମାନେ ମୃତଦେହକୁ ସଂରକ୍ଷଣ ରଖିବା କ୍ଷେତ୍ରରେ ନିୟୋଜିତ ଅଛନ୍ତି । ୨ ଜଣ ଗୁରୁତର ଭାବେ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ମୃତଦେହ ଚିହ୍ନଟ ପ୍ରକ୍ରିୟା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା । ମୃତଦେହ ଚିହ୍ନଟରେ ଦ୍ଵନ୍ଦ୍ବ ହେଲେ ଡିଏନଏ ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ।

Related Posts