କ୍ରମାଗତ ଦ୍ୱିତୀୟ ଥର ପାଇଁ କେରଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପିନରାଇ ବିଜୟନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଲଗାତର ଦ୍ୱିତୀୟ ଥର ପାଇଁ କେରଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପିନାରାଇ ବିଜୟନ। ସେଣ୍ଟ୍ରାଲ ଷ୍ଟାଡିୟମରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ବିଜୟନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। କରୋନା କଟକଣାକୁ ଦୃଷ୍ଟିରେ ରଖି କେରଳ ହାଇକୋର୍ଟ ଶପଥ ଗ୍ରହଣ ସମାରୋହରେ ସୀମିତ ସଂଖ୍ୟକ ଅତିଥିଙ୍କୁ ଅନୁମତି ଦେଇଥିଲେ। ସରକାରୀ ବ୍ରେନେନ କଲେଜରୁ ସେ ଯୁବ ନେତା ଭାବେ ରାଜନୀତିରେ ପାଦ ଦେଇଥିଲେ। ଏହା ପରେ ସେ କମ୍ୟୁନିଷ୍ଟ ପାଟି ଅଫ୍ ଇଣ୍ଡିଆ ମାର୍କ୍ସବାଦୀ ରେ ଯୋଗଦେଇ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। 1964 ମସିହାରେ ସେ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ। କେରଳ ଷ୍ଟୁଡେଣ୍ଟସ୍ ଫେଡେରେସନ୍ (କେଏସ୍ଏଫ୍) ର କନ୍ନୁର ଜିଲ୍ଲା ସଚିବ ଭାବେ ସେ ଦାୟିତ୍ବ ତୁଲାଇଥିଲେ । ପରବର୍ତ୍ତୀ ଅବସ୍ଥାରେ କେଏସ୍ଏଫ୍ ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) ରେ ପରିଣତ ହୋଇଗଲା। 1975 ମସିହାରେ ତାଙ୍କୁ ଏମରଜେନ୍ସି ସମୟରେ ଗିରଫ କରାଯାଇଥିଲା। 2002 ରେ, ସେ ପଲିଟବୁରୋକୁ ଆସନରୁ ନିର୍ବାଚିତ ହୋଇଥିଲେ। ଗତ ଏପ୍ରିଲ ୬ ତାରିଖରେ କେରଳରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥର ନିର୍ବାଚନରେ ୪ ଦଶନ୍ଧିର ରେକର୍ଡ ଭାଙ୍ଗି କେରଳରେ କ୍ରମାଗତ ଦ୍ୱିତୀୟ ଥର ପାଇଁ LDF ଶାସନ କ୍ଷମତାକୁ ଫେରୁଥିଲା। ଏଲଡିଏଫ୍ ୯୯ ଟି ସିଟ୍ ଜିତିଥିବାବେଳେ UDF କେବଳ ୪୧ ଟି ସିଟ୍ ଜିତିଛି ତେବେ ବିଜେପି ଏଥିର ଗୋଟିଏ ବି ଆସନ ଜିତିବାରେ ବିଫଳ ହୋଇଛି।

Related Posts