ମୋଦୀଙ୍କୁ ଚିଠି ଲେଖିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ : କୋଭିଡ୍ ରେ ବାପା-ମା ଙ୍କୁ ହରାଇଥିବା ପିଲାଙ୍କୁ ନବୋଦୟ ସ୍କୁଲରେ ମାଗଣା ଶିକ୍ଷା ଦେବାକୁ ଦାବି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ଭାରତ ପାଇଁ ଏକ ବଡ଼ ସଙ୍କଟ ହୋଇ ଛିଡ଼ା ହୋଇଛି। ପ୍ରତିଦିନ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। କିଛି କିଛି ଲୋକଙ୍କ ପରିବାର ଉଜୁଡି ଯାଉଛି। କରୋନାରେ ଉଭୟ ବାପା ମା ପ୍ରାଣ ହରାଉଛନ୍ତି। କରୋନାରେ ପିତାମାତାଙ୍କୁ ହରାଇଥିବା ପିଲାମାନେ ଅନାଥ ହୋଇଯାଉଛନ୍ତି। ମହାମାରୀ ସମୟରେ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି ଯେ, ବାପା-ମା କିମ୍ବା ପରିବାରରେ ରୋଜଗାର କରୁଥିବା ସଦସ୍ୟଙ୍କୁ ହରାଇଥିବା ପିଲା ମାନଙ୍କୁ ନବୋଦୟ ବିଦ୍ୟାଳୟରେ ମାଗଣା ଶିକ୍ଷା ପ୍ରଦାନ କରାଯାଉ। ସୋନିଆ ଗାନ୍ଧୀ କହିଛନ୍ତି ଯେ ସାରା ଦେଶରେ ୬୬୧ଟି ନବୋଦୟ ବିଦ୍ୟାଳୟ ରହିଛି ତେଣୁ ଏହି ବିଦ୍ୟାଳୟ ଗୁଡ଼ିକରେ ଅନାଥ ପିଲା ମାନଙ୍କୁ ମାଗଣାରେ ଶିକ୍ଷା ଯୋଗାଇଦେଲେ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ। ଏହା ପୂର୍ବରୁ ଛତିଶଗଡ଼ ସମେତ ମଧ୍ୟପ୍ରଦେଶ, ଓ ଦିଲ୍ଲୀ ସରକାର ମଧ୍ୟ କୋଭିଡ୍ ରେ ବାପା ମା ଙ୍କୁ ହରାଇଥିବା ପିଲାଙ୍କୁ ମାଗଣାରେ ଶିକ୍ଷା ଯୋଗାଇଦେବା ପାଇଁ ଘୋଷଣା କରିଛନ୍ତି।

Related Posts