ପ୍ରଧାନମନ୍ତ୍ରୀ ମୋଦି ନିଜେ ସିବିଆଇ ଓ ଇଡି ନିର୍ଦ୍ଦେଶକଙ୍କୁ ଭେଟି ସିସୋଦିଆଙ୍କ ମାମଲାରେ ନଜର ରଖିଥିଲେ: ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଦିନ ଆମ୍ ଆଦମୀ ପାର୍ଟିର ଦଶମ ପ୍ରତିଷ୍ଠା ଦିବସ ଅବସରରେ ବିଜେପି ଉପରେ କଡ଼ା ଆକ୍ରମଣ କରିଛନ୍ତି। କେଜ୍ରିୱାଲ ଦାବି କରିଛନ୍ତି ଯେ, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ପଞ୍ଜିକୃତ ହୋଇଥିବା ମାମଲା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ନଜର ରଖିଥିଲେ। ଏହାସହ ଏନେଇ ମୋଦି ନିଜେ ସିବିଆଇ ଏବଂ ଇଡି ନିର୍ଦ୍ଦେଶକଙ୍କୁ ମଧ୍ୟ ଭେଟିଛନ୍ତି ବୋଲି ସେ କହିଛନ୍ତି।

କେଜ୍ରିୱାଲ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ସିସୋଦିଆଙ୍କ ବିରୋଧରେ ହୋଇଥିବା ମାମଲା ଉପରେ ନଜର ରଖିଥିଲେ ଏବଂ ସେ ସିବିଆଇ ଏବଂ ଇଡି ମୁଖ୍ୟଙ୍କୁ ଭେଟିଥିଲେ ଏବଂ ସିସୋଦିଆ ବିରୋଧରେ ପ୍ରମାଣ ଖୋଜିବା ପାଇଁ କିଛି ବି କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଅନୁସନ୍ଧାନରେ ସେମାନେ ସିସୋଦିଆଙ୍କ ବିରୋଧରେ କିଛି ପାଇଲେ ନାହିଁ।’

ସୂଚନା ଅନୁସାରେ, ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତକାଲି ସିବିଆଇ ଏକ ଚାର୍ଜସିଟ୍ ଦାଖଲ କରିଛି ଏବଂ ମନୀଷ ସିସୋଦିଆଙ୍କ ନାମ ଏଥିରେ କୌଣସି ସ୍ଥାନରେ ଉଲ୍ଲେଖ କରାଯାଇ ନାହିଁ । ଏହାକୁ ନେଇ ଆପ ସଂଯୋଜକ କେଜ୍ରିୱାଲ ଦାବି କରିଛନ୍ତି ଯେ, ଚାର୍ଜସିଟ ରେ ସିସୋଦିଆଙ୍କ ନାମ ନ ରହିବା ଅର୍ଥ ସିବିଆଇ ସିସୋଦିଆଙ୍କୁ ଏକ ପ୍ରକାର କ୍ଲିନ୍ ଚିଟ୍ ଦେଇଛି। କେଜ୍ରିୱାଲ କହିଛନ୍ତି ଯେ, ପ୍ରାୟ ୮୦୦ ଅଧିକାରୀ ଏହି ମାମଲାରେ କାମ କରୁଛନ୍ତି। ମାତ୍ର ସେମାନେ ମନୀଷ ସିସୋଦିଆଙ୍କ ବିରୋଧରେ କିଛି ପାଇଲେ ନାହିଁ। ଯଦି ସେମାନେ ଏହି ମାମଲାରେ ସିସୋଦିଆଙ୍କ ବିରୋଧରେ ସାମାନ୍ୟତମ ପ୍ରମାଣ ପାଇଥାନ୍ତେ, ତେବେ ସେମାନେ ତାଙ୍କୁ ଗିରଫ କରିଥାନ୍ତେ।

କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା କରାଯାଇଥିବା ଚଢ଼ାଉ ସମ୍ପର୍କରେ କେଜ୍ରିୱାଲ କହିଛନ୍ତି ଯେ, ସିସୋଦିଆଙ୍କ ୫୦୦ରୁ ଅଧିକ ସ୍ଥାନ ଉପରେ ଚଢ଼ାଉ କରାଯାଇଥିଲା, କାନ୍ଥ ଭାଙ୍ଗି ଦିଆଯାଇଥିଲା, ଗଦି ଛିଣ୍ଡି ଯାଇଥିଲା, ବ୍ୟାଙ୍କ ଲକର ଯାଞ୍ଚ କରାଯାଇଥିଲା, କିନ୍ତୁ କୌଣସି ନଗଦ ଟଙ୍କା ମିଳି ନଥିଲା।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ‘ସେ ଗର୍ବର ସହିତ କହିପାରିବେ ଯେ ମୁଁ ଜଣେ ଦୃଢ଼ ସଚ୍ଚୋଟ ନେତା। ଏହି ଦେଶର ଅନ୍ୟ କୌଣସି ରାଜନେତା ଲୋକଙ୍କ ଆଗରେ ଠିଆ ହୋଇପାରିବେ ନାହିଁ ଏବଂ କହିବେ ଯେ ସେ ସଚ୍ଚୋଟ ବୋଲି।’

ପ୍ରକାଶ ଥାଉକି, ଆମ୍ ଆଦମୀ ପାର୍ଟି କେଜ୍ରିୱାଲଙ୍କ ଦ୍ବାରା ୨୦୧୨ ନଭେମ୍ବର ୨୬ରେ ପ୍ରତିଷ୍ଠିତ ହୋଇଥିଲା। ୧୯୪୯ ମସିହାରେ ଏହି ଦିନ ଭାରତର ସମ୍ବିଧାନ ଗୃହୀତ ହୋଇଥିବାରୁ ସେ ଏହି ଦିନ ଦଳ ଗଠନ କରିବାକୁ ନିଷ୍ପତ୍ତି ହୋଇଥିଲା। ଆଜି ଦଳକୁ ୧୦ ବର୍ଷର ପୁରିଛି ଏହି ଅବସରରେ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ଯେ, ‘ଆମ୍ ଆଦମୀ ପାର୍ଟି ଏହି ଦିନ ତଥା ୧୦ ବର୍ଷ ପୂର୍ବେ ପ୍ରତିଷ୍ଠା କରାଯାଇଥିଲା। ଏହି ୧୦ ବର୍ଷରେ, ଜନସାଧାରଣଙ୍କ ଅପାର ପ୍ରେମ ଏବଂ କର୍ମୀମାନଙ୍କ ଉଦ୍ୟମ ସହିତ ଦଳ ଭାରତୀୟ ରାଜନୀତିରେ ଅନେକ ଇତିହାସ ସୃଷ୍ଟି କରିଛନ୍ତି।’

Related Posts