ପ୍ରଧାନମନ୍ତ୍ରୀ ମୋଦିଙ୍କର କଂଗ୍ରେସକୁ ଟାର୍ଗେଟ; “ଦେଶରେ କିଛି ଲୋକ କଳା ଯାଦୁ ବିସ୍ତାର ପାଇଁ ପ୍ରୟାସ କରୁଛନ୍ତି”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ହରିୟାଣାର ପାନିପତ ଠାରେ ୯୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଦ୍ୱିତୀୟ ଇଥାନଲ କାରଖାନାକୁ ଦେଶ ଉଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ସେ କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଆମ ଦେଶରେ କିଛି ଲୋକ ନକାରାତ୍ମକତାର ଘୂର୍ଣ୍ଣିବଳୟରେ ଫସି ରହି ନିରାଶାରେ ବୁଡି ରହିଛନ୍ତି। ସରକାରଙ୍କ ବିରୋଧରେ ମିଥ୍ୟା ପ୍ରଚାର କରିବା ସତ୍ତ୍ୱେ ଜନତା ସେମାନଙ୍କ ଉପରେ ଆଉ ବିଶ୍ୱାସ କରିବାକୁ ପ୍ରସ୍ତୁତ ନାହାନ୍ତି। ହତାଶାରେ ଏଭଳି ଲୋକମାନେ ବର୍ତ୍ତମାନ କଳା ଯାଦୁ ଆଡକୁ ମୁହାଁଇଥିବାର ମଧ୍ୟ ନଜର ଆସିଛନ୍ତି। ଅଗଷ୍ଟ ୫ରେ ଆମେ ଦେଖିଛୁ କିପରି କଳା ଯାଦୁ ବିସ୍ତାର କରିବାର ପ୍ରୟାସ କରାଯାଇଥିଲା। ଏମାନେ ଭାବନ୍ତି, କଳା ପୋଷାକ ପିନ୍ଧିଲେ ସେମାନଙ୍କର ନିରାଶାର ଅବଧି ଶେଷ ହେବ। କଳା ଯାଦୁ କିମ୍ବା ଅନ୍ଧବିଶ୍ୱାସ ବିଶ୍ୱାସ ଜରିଆରେ ଜନସାଧାରଣଙ୍କ ବିଶ୍ୱାସ ଆଉ ହାତେଇ ହେବ ନାହିଁ, ତାହା ସେମାନେ ଜାଣନ୍ତି ନାହାନ୍ତି ବୋଲି ମୋଦି କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟ ୫ରେ କଂଗ୍ରେସ ମୁଦ୍ରାସ୍ଫୀତି ବିରୋଧରେ ଦିଲ୍ଲୀରେ ପ୍ରଦର୍ଶନ କରିଥିଲା। ଏହି ସମୟରେ କଂଗ୍ରେସ ନେତାମାନେ କଳା ପୋଷାକ ପିନ୍ଧିଥିଲେ। ଦିଲ୍ଲୀର ସଂସଦ ନିକଟରେ ବିରୋଧ କରୁଥିବା କଂଗ୍ରେସ ନେତାମାନଙ୍କୁ ପୋଲିସ ଗିରଫ କରିଥିଲା। ତେବେ ଏହି କଳା ପୋଷାକ ପିନ୍ଧି ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ମୋଦି କଳା ଯାଦୁ ସହ ତୁଳନା କରିଛନ୍ତି।

Related Posts