ରଥଯାତ୍ରାରେ ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ; ବିଜେଡି-କଂଗ୍ରେସ ର ନିନ୍ଦା, କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପବିତ୍ର ରଥଯାତ୍ରାରେ ପୁରୀ ରେ ସାମ୍ବାଦିକ ଙ୍କୁ ପୋଲିସର ମାଡ଼। ମହିଳା ସାମ୍ବାଦିକଙ୍କୁ ମାଡ ମାରି ଲହୁଲୁହାଣ କଲେ। ରଥଯାତ୍ରାରେ ରାଜ୍ୟ ସରକାର ସ୍ୱୀକୃତିପ୍ରାପ୍ତ ଓ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ରଥଯାତ୍ରା ଖବର ସଂଗ୍ରହ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିଥିବା ବେଳେ ପୁଲିସ ଆକ୍ରମଣରେ ୭ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି | ଜଣେ ମହିଳା ସାମ୍ବାଦିକ ହାତରେ ୨୦ ଷ୍ଟିଜ ପଡିଛି | ଏ ଘଟଣାକୁ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଦୃଢ଼ ନିନ୍ଦା କରିଛନ୍ତି।

ଆଜି ଏକ ପ୍ରେସ ବିବୃତ୍ତିରେ ବିଜେଡିର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ୍‌ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ, କାର୍ଯ୍ୟରତ ସ୍ୱୀକୃତିପ୍ରାପ୍ତ ସାମ୍ୱାଦିକମାନଙ୍କୁ ଭୁବନେଶ୍ୱରର ଜୟଦେବ ଭବନ ନିକଟରୁ ଏକ ସ୍ୱତନ୍ତ୍ର ବସ୍‌ରେ ପୁରୀ ନେଇଥିଲେ।ସେଠାରେ ପହଞ୍ଚିଲା ପରେ କର୍ଡନ ପାସ୍‌ ଓ ପରିଚୟପତ୍ର ଦେଖାଇଲେ ମଧ୍ୟ ପୁଲିସ ସେମାନଙ୍କୁ ଖବର ସଂଗ୍ରହ କରିବାକୁ ଦେଇନଥିଲା। ଓଲଟି ପୋଲିସର ଦୃର୍ବ୍ୟବହାର ଓ ମାଡରେ ଅନେକ ବରିଷ୍ଠ ସାମ୍ୱାଦିକ ଗୁରୁତର ଆହତ ହୋଇଥିଲେ। ବରିଷ୍ଠ ସାମ୍ୱାଦିକ ରମେଶ ମହାନ୍ତି ଗୁରୁତର ଆହତ ହୋଇଥିଲା ବେଳେ, ପ୍ରଭୁ କଲ୍ୟାଣ ମହାପାତ୍ର, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସନତ ମିଶ୍ର ଓ ହରପ୍ରସାଦ ଦାସଙ୍କ ଛାତିରେ ଆଘାତ ଲାଗିଥିଲା। ମହିଳା ସାମ୍ୱାଦିକା ବିଜୟିତା ତ୍ରିପାଠୀଙ୍କ ହାତରେ ବଡ କ୍ଷତ ହୋଇ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ଛଡା ବହୁ ସାମ୍ୱାଦିକ ମଧ୍ୟ ପୋଲିସ ମାଡରେ ଆହତ ହୋଇ ନିଜ ଦାୟିତ୍ୱ ସମ୍ପାଦନ କରିପାରିନାହାଁନ୍ତି।

ଶ୍ରୀ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ବର୍ଷ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପବିତ୍ର ରଥଯାତ୍ରାର ଖବର ପ୍ରସାରଣ ପାଇଁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଏ। କିନ୍ତୁ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଅପାରଗତା ଲାଗି ଶ୍ରୀକ୍ଷେତ୍ରରେ ସାମ୍ୱାଦିକମାନେ ପୁଲିସ ଠାରୁ ମାଡ ଖାଇଲେ। ଗଣତନ୍ତ୍ରର ୪ର୍ଥ ସ୍ତମ୍ବ ଉପରେ ଏଭଳି ପୁଲିସର ଅମାନବୀୟ ଆଚରଣକୁ ବିଜେଡି ଦୃଢ଼ ନିନ୍ଦା କରୁଛି। ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ପବିତ୍ର ରଥଯାତ୍ରାରେ ବିଭ୍ରାଟ ପାଇଁ ଦାୟୀ ଅଧିକାରୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

ସେପଟେ ଏ ଘଟଣାକୁ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ମଧ୍ୟ ନିନ୍ଦା କରିଛନ୍ତି| ଏ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହସ୍ତକ୍ଷେପ କରିବା ସହିତ ସିସି କ୍ୟାମେରା ଯାଞ୍ଚ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

Related Posts