ବାର୍ଷିକ ଆୟ ଦେଢ଼ କୋଟି ଜଣାପଡିବା ପରେ ବଦଳିଲେ ଅମିତାଭ ବଚ୍ଚନଙ୍କ ବଡିଗାର୍ଡ ଥିବା ପୁଲିସ୍ କନଷ୍ଟେବଳ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନଙ୍କ ବଡିଗାର୍ଡ ଭାବେ ନିଯୁକ୍ତ ହୋଇଥିବା ମୁମ୍ବାଇ ପୁଲିସର ଜଣେ କନଷ୍ଟେବଲଙ୍କ ବାର୍ଷିକ ଆୟ ଦେଢ଼ କୋଟି ଟଙ୍କା ଜଣାପଡିବା ପରେ ତାଙ୍କୁ ବଦଳି କରି ଦିଆଯାଇଛି। ଏବଂ ଘଟଣାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି କନଷ୍ଟେବଲଙ୍କ ନାଁ ଜିତେନ୍ଦ୍ର ଶିନ୍ଦେ।

ସେ ଅନେକ ବର୍ଷ ହେଲା ଅମିତାଭଙ୍କ ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ କରି ଆସୁଥିଲେ। ନିକଟରେ ଜଣାପଡ଼ିଥିଲା ଯେ ଶିନ୍ଦେଙ୍କର ବାର୍ଷିକ ଆୟ ଦେଢ଼ କୋଟି ଟଙ୍କା। ତେବେ ତାଙ୍କୁ ଅମିତାଭ ବଚ୍ଚନ ଏତେ ଗୁଡ଼ାଏ ଟଙ୍କା ଦେଉଥିଲେ ନା ସେ ଆଉ କାହାଠାରୁ ଟଙ୍କା ଆଣୁ ଥିଲେ, ମୁମ୍ବାଇ ପୁଲିସ୍ ଏବେ ସେ ନେଇ ତଦନ୍ତ ଆରମ୍ଭ କରିଛି।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ଜିତେନ୍ଦ୍ର ଶିନ୍ଦେ ପୋଲିସ ଅଧିକାରୀଙ୍କୁ କହିଛନ୍ତି ଯେ ସେ ଏକ ସିକ୍ୟୁରିଟି ଏଜେନ୍ସି ଚଳାନ୍ତି ଯାହା ଅନ୍ୟ ସେଲିବ୍ରିଟି ତଥା ଜଣାଶୁଣା ଲୋକଙ୍କୁ ସୁରକ୍ଷା ଯୋଗାଇଥାଏ। ରିପୋର୍ଟ ଅନୁଯାୟୀ, ତାଙ୍କ ପତ୍ନୀ ତାଙ୍କ ନାମରେ ଏଜେନ୍ସି ଚଳାଉଛନ୍ତି। ତେବେ ଅମିତାଭ ବଚ୍ଚନ ତାଙ୍କୁ ଦେଢ଼ କୋଟି ଟଙ୍କା ଦିଅନ୍ତି ନାହିଁ ବୋଲି ସେ ପୁଲିସକୁ କହିଛନ୍ତି।

ଜିତେନ୍ଦ୍ର ଶିନ୍ଦେ ୨୦୧୫ ମସିହାରୁ ବିଗ୍ ବିଙ୍କ ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ କରିଆସୁଥିଲେ। ଅମିତାଭ ବଚ୍ଚନଙ୍କୁ ଏକ୍ସ ବର୍ଗର ସୁରକ୍ଷା ଯୋଗାଇ ଦିଆଯାଇଛି। ତେଣୁ ସଦାବେଳେ ଦୁଇ ଜଣ କନଷ୍ଟେବଲ ତାଙ୍କ ସହିତ ରହନ୍ତି। ସେଥି ମଧ୍ୟରୁ ଶିନ୍ଦେ ଅନ୍ୟତମ ଥିଲେ। ମୁମ୍ବାଇ ପୋଲିସର ସୂଚନାନୁସାରେ, ପାଞ୍ଚ ବର୍ଷରୁ ଅଧିକ ସମୟ ଗୋଟିଏ ସ୍ଥାନରେ ଜଣେ ପୋଲିସ୍ ନିୟୋଜିତ ହୋଇପାରିବ ନାହିଁ। ଅମିତାଭଙ୍କ ସହିତ ତାଙ୍କୁ ସବୁ ଜାଗାରେ ଦେଖିବାକୁ ମିଳୁଥିଲା। ତେବେ ରିପୋର୍ଟ ଅନୁଯାୟୀ ତାଙ୍କୁ ଦକ୍ଷିଣ ମୁମ୍ବାଇର ଏକ ପୁଲିସ୍ ଥାନାକୁ ବଦଳି କରି ଦିଆଯାଇଛି।

Related Posts