ପୋଲିସ୍‌କୁ ମିଳିଲା ସେଲ୍‌ଫି ବେବୋଙ୍କ ଭଏସ୍‌ ମେସେଜ୍‌, ଖୋଲିପାରେ ମୃତ୍ୟୁ ରହସ୍ୟ

ମୃତ୍ୟୁ ପୂର୍ବରୁ ସିମରନଙ୍କର ଏକ ଭଏସ ମେସେଜ ପୋଲିସର ହସ୍ତଗତ ହୋଇଛି । ଏହି ମେସେଜଟି ସିମରନଙ୍କ ମୋବାଇଲରୁ ମିଳିଥିବା କୁହାଯାଉଛି ।

ସମ୍ବଲପୁର ଆଲବମ ଅଭିନେତ୍ରୀ ତଥା ସେଲଫି ବେବୋ ଆଲବମ୍ ଫେମ୍ ସିମରନ ସିଂଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । ଗତକାଲି ବୁର୍ଲା ପାଖ ମହାନଦୀ ପୋଲ ତଳୁ ମିଳିଥିଲା ସିମରନଙ୍କ ମୃତଦେହ । ଏହା ଆତ୍ମହତ୍ୟା ନୁହେଁ, ବରଂ ସିମରଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଆଣିଛନ୍ତି ଅଭିଯୋଗ । ବୁର୍ଲା ଥାନାରେ ଏତଲା ଦେଇଛନ୍ତି । ବୁର୍ଲା ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ବହୁ ସମ୍ବଲପୁରୀ ଆଲବମରେ ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ ସିମରନ୍ । ୨୦୧୭ ତାଙ୍କ ଆଲବମ ସେଲଫି ବେବୋ ପୂରା ଓଡ଼ିଶାରେ ଚହଳ ପକାଇଥିଲା । ୟୁ ଟ୍ୟୁବରେ ଏହି ଆଲବମକୁ ଏଯାଏଁ ୨ କୋଟିରୁ ଅଧିକ ଦର୍ଶକ ଦେଖି ସାରିଲେଣି । କମ୍ ବୟସରେ ଏତେ ସଫଳତା ସାଉଁଟିଥିବା ଏହି ଆଲବମ୍ ଅଭିନେତ୍ରୀଙ୍କୁ ମୃତ୍ୟୁ କେମିତି ହେଲା ?

ମୃତ୍ୟୁ ପୂର୍ବରୁ ସିମରନଙ୍କର ଏକ ଭଏସ ମେସେଜ ପୋଲିସର ହସ୍ତଗତ ହୋଇଛି । ଏହି ମେସେଜଟି ସିମରନଙ୍କ ମୋବାଇଲରୁ ମିଳିଥିବା କୁହାଯାଉଛି । ମୃତ୍ୟୁ ପୂର୍ବରୁ ସିମରନ୍‌ ଏହାକୁ ଟ୍ରେନ୍‌ କିମ୍ବା ଷ୍ଟେସନରେ ରେକର୍ଡିଂ କରାଯାଇଥିବା ଅନୁମାନ କରାଯାଉଛି। ପୋଲିସ ଏହି ଅଡିଓ ଟେପକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ।

ମହାନଦୀ ବ୍ରିଜ୍ ତଳୁ କେଉଁ ପରିସ୍ଥିତିରେ ମିଳିଲା ମୃତଦେହ ? ଯଦି ଏହା ଆତ୍ମହତ୍ୟା, ତେବେ କାହିଁକି ଆତ୍ମହତ୍ୟା କଲେ ସିମରନ ? ପରିବାର ଲୋକଙ୍କ ଅଭିଯୋଗ ଯଦି ସତ ହୁଏ, ତେବେ କିଏ ଓ କାହିଁକି ସିମରନଙ୍କୁ ହତ୍ୟା କରିଛି ? ଏସବୁ ଏବେ ପୋଲିସର ତଦନ୍ତ ଘେରକୁ ଆସିବ ।

Related Posts