ଭାଇକୁ ସ୍କ୍ରୁ ଡ୍ରାଇଭରରେ ଭୁସି ହତ୍ୟା କଲା ଭାଇ

ସିସିଟିଭି ଫୁଟେଜ୍‌ରୁ ଧରାପଡ଼ିଲା ହତ୍ୟାକାରୀ ଭାଇ

‘ରକ୍ତ’ କଲା ରକ୍ତକୁ ରକ୍ତାକ୍ତ । ଚାପୁଡ଼ାର ବଦଲା ମାରଣାସ୍ତ୍ରରେ । ଘରକୁ ଡାକିଲା, ପେଚକସ ବା ସ୍କ୍ରୁ ଡ୍ରାଇଭରରେ ଭୁସି ମାରିଦେଲା । ସାମାନ୍ୟ କଳହରୁ ହେଲା ଜଘନ୍ୟ ହତ୍ୟାକାଣ୍ଡ । ବଡ଼ଭାଇର ଜୀବନ ନେଲା ସାନ ଭାଇ ।

ଘଟଣା ଘଟିଛି ମହାରାଷ୍ଟ୍ର ଅମ୍ବରନାଥ କଲୋନୀରେ । ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜ୍‌ରେ ଦେଖାଯାଉଛି ସାନ ଭାଇ ନିଜ ବଡ଼ ଭାଇର ବେକରେ ହାତ ପକାଇ ଭିତର ରୁମ୍‌କୁ ନେଇ ଯାଉଛି ।

ତା ପରେ ସ୍କ୍ରୁ ଡ୍ରାଇଭରରେ ଆକ୍ରମଣ କରିବା ସହ ବଡ଼ ଭାଇକୁ ଅତି ନିର୍ମମ ଭାବେ ହତ୍ୟା କରିଛି । ତା ପରେ ସେଠାରୁ ଫେରାର ହୋଇଯାଉଛି । ରକ୍ତ ଜୁଡୁବୁଡୁ ବଡ଼ ଭାଇକୁ ଘରଲୋକେ ହସ୍ପିଟାଲ ନେଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ । ମୃତକଙ୍କ ସ୍ତ୍ରୀ ସ୍ଥାନୀୟ ଥାନାକୁ ଜଣାଇବା ପରେ ପୋଲିସ ଅଭିଯୁକ୍ତ ଭାଇକୁ ଗିରଫ କରି ଜେଲରେ ଭର୍ତ୍ତି କରିଛି ।

ଘଟଣା ଘଟିଥିଲା ଗତ ମଙ୍ଗଳବାର ରାତିରେ । ପୋଲିସର କହିବା ଆନୁଯାୟୀ, ଦୁଇ ଦିନ ତଳେ ଦୁଇ ଭାଇଙ୍କ ମଧ୍ୟରେ ସାମାନ୍ୟ ବଚସାକୁ ନେଇ ଝଗଡ଼ା ହୋଇଥିଲା । ଏହି ଝଗଡ଼ା ମଧ୍ୟରେ ବଡ଼ ଭାଇ, ସାନ ଭାଇକୁ ଚାପୁଡ଼ା ମାରିଥିଲା, ଯାହାକୁ ସହି ପରିନଥିଲା ସାନ ଭାଇ । ସେ ନିଜ ବଡ଼ ଭାଇକୁ ଅତି ନୃଶଂସ ଭାବେ ହତ୍ୟା କରିଥିଲା ।

Related Posts